ଝାଡ଼ଖଣ୍ଡରେ ପ୍ରଚାର ବେଳେ ଅଭିନେତା ମିଥୁନଙ୍କ ପକେଟମାର୍

add-all

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଯାଇଥିବା ବିଜେପି ନେତା ତଥା ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପକେଟମାର୍ ହୋଇଛି। ମିଥୁନ ପ୍ରଚାର କରିବାକୁ ପହଞ୍ଚିଥିବା ମଞ୍ଚରୁ ତାଙ୍କ ପର୍ସ ଚୋରି ହେବା ନେଇ ଘୋଷଣା କରାଯାଉଥିବା ଏକ ଭିଡିଓ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ତାଙ୍କ ପର୍ସ ଫେରାଇ ଦେବାକୁ ମଧ୍ୟ ଅନୁରୋଧ କରାଯାଉଥିବା ଦେଖିବାକୁ ମିଳିଛି।

ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଧନବାଦ ଜିଲ୍ଲା ନିରସା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ ବିଜେପିର ଷ୍ଟାର ପ୍ରଚାରକ ମିଥୁନ ଚକ୍ରବର୍ତ୍ତୀ। ଏଠାରୁ ବିଜେପି ପ୍ରାର୍ଥୀ ହୋଇଥିବା ଅପର୍ଣ୍ଣା ସେନଗୁପ୍ତାଙ୍କ ପକ୍ଷରୁ ଏକ ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ଯୋଗ ଦେଇ ବିଜେପି ପାଇଁ ଭୋଟ ମାଗିବାକୁ ଆସିଥିଲେ ମିଥୁନ। ଏଠାରେ ସୁପରଷ୍ଟାରଙ୍କୁ ଦେଖିବାକୁ ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା। ମିଥୁନଙ୍କ ସହ ସେଲ୍ଫି ନେବା ପାଇଁ ମଧ୍ୟ ପ୍ରଶଂସକଙ୍କ ଲାଇନ ଲାଗିଥିଲା।

ଏତେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବା କୁହାଯାଉଛି। ଯାହାର ସୁଯୋଗ ନେଇ ସେହି ଭିଡ଼ରୁ କେହି ମିଥୁନଙ୍କ ପକେଟରୁ ପର୍ସ ନେଇଯାଇଛି। ଜନସଭାରେ ସାମିଲ ହେବାକୁ ଯାଇଥିବାବେଳେ ସେ ନିଜ ପକେଟରୁ ପର୍ସ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଅନ୍ୟ ବିଜେପି ନେତାଙ୍କୁ ମଧ୍ୟ ସୂଚନା ଦେଇଥିଲେ। ପର୍ସରେ ଅଭିନେତାଙ୍କର ଅନେକ ଜରୁରୀ ଦସ୍ତାବିଜ ଥିବା ସେ କହିଥିଲେ। ମଞ୍ଚରୁ ଅନେକ ଅନୁରୋଧ ସତ୍ତ୍ୱେ କେହି ତାଙ୍କ ପର୍ସ ଫେରାଇନଥିଲେ। ଫଳରେ ମଞ୍ଚରେ ଭାଷଣ ଦେବାପରେ ସେଠାରୁ ମିଥୁନ ତୁରନ୍ତ ଫେରିଆସିଥିଲେ। 

ପ୍ରକାଶ ଥାଉ, ନିକଟରେ ସୁପରଷ୍ଟାର ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ହତ୍ୟା ଧମକ ମିଳିଥିଲା। ଯାହାପରେ ତାଙ୍କ ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି।

ad-week
Leave A Reply

Your email address will not be published.