ଗ୍ରାମକୁ ରାସ୍ତା ନାହିଁ, ଦୋଳାରେ ୯ କିଲୋମିଟର ବୁହା ହେଲେ ରୋଗୀ

add-all

ପାତ୍ରପୁର: ଗ୍ରାମକୁ ରାସ୍ତା ନ ଥିବା ଯୋଗୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ। ଫଳରେ ଅଧାରାସ୍ତାରୁ ଜଣେ ଆଦିବାସୀ ବୃଦ୍ଧାଙ୍କୁ ପ୍ରାୟ ୯ କିଲୋମିଟର ଦୋଳାରେ ବୋହି ଗାଁକୁ ନେବାକୁ ପଡ଼ିଛି। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ତସରଙ୍ଗ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଗତ ଶନିବାର ରାତିରେ ଗ୍ରାମର ଲିଙ୍ଗି ଗମାଙ୍ଗ(୬୫) ନାମ୍ନୀ ବୃଦ୍ଧା ଭୁବନେଶ୍ୱର ଏମ୍‌ସରୁ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଫେରିଥିଲେ। ଗାଁକୁ ଯାଇଥିବା ରାସ୍ତାରେ ଗାଡ଼ି ନ ଯିବାରୁ ରୋଗୀ ଘରକୁ ଫେରିବାରେ ସମସ୍ୟା ହୋଇଥିଲା। ତେଣୁ ପାହାଡ଼ ତଳ କରଡ଼ା ମୂଳି ଗ୍ରାମଠାରୁ ଜଙ୍ଗଲ ପଥରେ ପ୍ରାୟ ୯ କିଲୋମିଟର ଦୂର ତସରଙ୍ଗ ଗ୍ରାମକୁ ଦୋଳାରେ ନିଆଯାଇଥିଲା।
୩ ମାସ ପୂର୍ବେ ମହିଳା ଜଣକ ତାଡ଼କା ସାହିରୁ ବ୍ୟାଙ୍କ କାର୍ଯ୍ୟ ପାଇଁ ତୁରୁବୁଡ଼ି ଯାଉଥିବାବେଳେ ଜଗନ୍ନାଥପୁର ନିକଟରେ ଅଟୋରୁ ଖସି ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରୁ ଏମସକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ଵାସ୍ଥ୍ୟ ଭଲ ହେବା ପରେ ଶନିବାର ଗ୍ରାମକୁ ଫେରିଥିଲେ।
ତେବେ ଗ୍ରାମକୁ ଭଲ ରାସ୍ତାଟିଏ ନ ଥିବାରୁ ଜଙ୍ଗଲ ପଥରେ ବୁହା ହୋଇ ନିଆଯାଇଥିବା ଜଣା ପଡିଛି। ଏହି ଗ୍ରାମକୁ ଯିବାକୁ ହେଲେ ପାହାଡ଼ ତଳ ତାଡ଼କା ସାହିଠାରୁ କରଡ଼ାମୁଳି କମ୍ପୁଟ ତରମୁଣ୍ଡା ଦେଇ ଯିବାକୁ ପଡୁଛି। ଆଙ୍କୁଲି ପଞ୍ଚାୟତର ବହୁ ଗ୍ରାମ ଦୁର୍ଗମ ପାହାଡ଼ ଉପରେ ରହିଛି। କେତେକ ଗ୍ରାମକୁ ରାସ୍ତା ରହୁଥିବା ବେଳେ ଅଧିକାଂଶ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ରୋଗୀଠାରୁ ଆରମ୍ଭ କରି ଗର୍ଭବତୀ ମହିଳାଙ୍କୁ ଦୋଳାରେ ବୋହି ଜଙ୍ଗଲ ରାସ୍ତା ପାର କରି ଯିବାକୁ ପଡ଼ୁଛି। ଏପରିକି ଡାକ୍ତରଖାନା, ପିଲାଙ୍କ ପାଠପଢା ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ର, ରାସନ୍ କାର୍ଡ ସାମଗ୍ରୀ ସହିତ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଦୁର୍ଗମ ବିପଦପୂର୍ଣ୍ଣ ରାସ୍ତାରେ ନିୟମିତ ଆଦିବାସୀମନେ ଯାତାୟାତ କରୁଛନ୍ତି। ଏହି ରାସ୍ତାର ତାଡ଼କା ସାହିଠାରୁ ପ୍ରାୟ ଦୁଇ କିଲୋମିଟର ରାସ୍ତା ପକ୍କା କରିବା ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ହେବା ସ୍ଥିର ହୋଇଥିବାବେଳେ ବଳକା ରାସ୍ତା ନିର୍ମାଣ ହେଲେ ୭ରୁ ଊର୍ଦ୍ଧ୍ବ ଆଦିବାସୀ ଗ୍ରାମର ଲୋକେମାନେ ଯାତାୟାତ ସୁବିଧା ପାଇପାରିବେ।

ad-week
Leave A Reply

Your email address will not be published.