ହତ୍ୟା ମାମଲା ରଫାଦଫା ପାଇଁ ଧମକ : ହତ୍ୟା ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ

add-all

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ୨୦୧୭ ମସିହାରେ ଘଟିଥିବା ଏକ ହତ୍ୟା ମାମଲାକୁ ରଫାଦଫା ପାଇଁ ଧମକ ଦେଇଛନ୍ତି ଉକ୍ତ ହତ୍ୟାକାଣ୍ଡର ଅଭିଯୁକ୍ତ । ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳାଙ୍କ ପୁଅକୁ ପୁଣି ଥରେ ହତ୍ୟା ଧମକ ଦେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ,୨୦୧୭ ମସିହା ଜୁଲାଇ ୪ରେ ହିଞ୍ଜିଳି ଥାନା ରଙ୍ଗୁଣିପଲୀ ଗାଁ ଦାଣ୍ଡରେ କେ ସାବିତ୍ରୀ ନାମକ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ରେ ଉକ୍ତ ଗାଁ ର ଏସ ଜଗନ୍ନାଥ ଅଭିଯୁକ୍ତ ଥିଲେ। ସମ୍ପତ୍ତି ଲୋଭ ଓ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ମୃତା ସାବିତ୍ରୀଙ୍କ ଦିଅର କେ ରବୀନ୍ଦ୍ରଙ୍କ ଅଭିଯୋଗ କ୍ରମେ ସେତେବେଳେ ହିଞ୍ଜିଳି ଥାନାରେ ୧୧୦/୧୭ରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଉକ୍ତ ଘଟଣା ପରେ ଫେରାର ଥିବା ଅଭିଯୁକ୍ତ ଏସ ଜଗନ୍ନାଥ ଙ୍କୁ ତତ୍କାଳୀନ ପୋଲିସ ଆଇଆଇସି ତଥା ବର୍ତମାନ ପୁରୀ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ହତ୍ୟାକାଣ୍ଡର ଅଭିଯୁକ୍ତ ଏସ ଜଗନ୍ନାଥ ଗତ ୩ ବର୍ଷ ତଳେ ଜେଲରୁ ବେଲରେ ମୁକୁଳିଛନ୍ତି। ତେବେ ଅଭିଯୁକ୍ତ ଏସ ଜଗନ୍ନାଥଙ୍କ କୋର୍ଟ ରେ ଥିବା ଉକ୍ତ ବିଚାରାଧୀନ ହତ୍ୟା ମାମଲାକୁ ରଫାଦଫା କରିବାକୁ ମୃତା ମହିଳାଙ୍କ ସ୍ବାମୀ କେ ଗୋପାଳଙ୍କୁ କିଛି ଦିନ ତଳେ ଧମକ ଦେଇଥିଲେ। ଶୁକ୍ରବାର ଗାଁ କୋଠଘର ନିକଟରେ ମୃତା ମହିଳାଙ୍କ ପୁଅ କେ କ୍ରିଷ୍ଣାଙ୍କୁ ମଧ୍ୟ ଅଭିଯୁକ୍ତ ଏସ ଜଗନ୍ନାଥ ଧମକ ଦେଇଥିଲେ। ବାପା କେ ଗୋପାଳ ଓ କକା କେ ରବୀନ୍ଦ୍ରଙ୍କୁ କହି ମାମଲା ରଫାଦଫା ନ କଲେ କେ କ୍ରିଷ୍ଣା ଙ୍କୁ ହତ୍ୟା କରିବା ପାଇଁ ଏସ ଜଗନ୍ନାଥ ଧମକ ଦେଇଥିବା ନେଇ ଶନିବାର ଥାନାରେ କେ କ୍ରିଷ୍ଣା ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ଥାନାରେ ନଂ ୯୪୮/୨୪ରେ ମାମଲା ରୁଜୁ ହୋଇଛି । ପୋଲିସ ତଦନ୍ତ ଚଳାଇଛି ।

ad-week
Leave A Reply

Your email address will not be published.