
ମାଲକାନଗିରି : ଜଙ୍ଗଲ ସମ୍ପଦର ସୁରକ୍ଷା, ବନୀକାରଣ, ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ବନ୍ୟପ୍ରାଣୀ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ଏବଂ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ବନ ବିଭାଗ ଓ ଜନ ସାଧାରଣଙ୍କ ଗୁରୁ ଦାଇତ୍ୱ। ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସର୍ବଦା ଉଦ୍ୟମ ଜାରୀ ରହିଛି। କିନ୍ତ କିଛି ଚୋରା କାଠ ବ୍ୟବସାୟୀ ମାନେ ବନ ବିଭାଗର ଆଖିରେ ଧୂଳି ଦେଇ ଅଞ୍ଚଳର ବିଭିନ୍ନ ଜଙ୍ଗଲ କାଟି ସେଠାରୁ ବହୁ ମୂଲ୍ୟବାନ ଶାଗୁଆନ, ଶିଶୁ ଓ ଅନ୍ୟାନ୍ୟ ଗଛ କାଟି ଚୋରିକରି ନେବାରେ ଲାଗିଛନ୍ତି। ଫଳରେ ସବୁଜିମା ନଷ୍ଟ ହେବାରେ ଲାଗିଛି। ତେବେ ଜଙ୍ଗଲରେ ହେଉଥିବା କାଠ ଚୋରୀକୁ ରୋକିବା ପାଇଁ ବାଲିମେଳା ବନାଞ୍ଚକ ଅଧିକାରୀ ଲିପ୍ସିତା କଅଁରଙ୍କ ନିର୍ଦ୍ଧେଶ କ୍ରମେ ବାଲିମେଳା ଓ ସୋମନାଥପୁର ବନପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଚଢ଼ାଉ କାର୍ଯ୍ୟ ଆରମ୍ଭ କରାଯାଇଛି। ଗତ ମଙ୍ଗଳବାର ମଧ୍ୟ ରା଼ତ୍ରୀରେ ସୋମନାଥପୁର ଗ୍ରାମ ଦେଇ ଆନ୍ଦ୍ରପ୍ରଦେଶ ସିଲେରୁ ଅଞ୍ଚଳକୁ ଏକ ଗାଡି ଯୋଗେ ୨୭ ଖଣ୍ଡ ଶିଶୁ କାଠ ଚାଲାଣ ହେଉଥିବା ବେଳେ ବନ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡିଥଲେ।ଉକ୍ତ ଗାଡ଼ିରେ ଥିବାକାଠକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ତିନିଜଣ ବ୍ୟକ୍ତିଙ୍କୁ ବନ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଅଟକ ରଖା ଯାଇ ପଚରା ଉଚୁରା ଚାଲିଥିଲା। ଆଜି ଏହି ଘଟଣାରେ ସମୃକ୍ତ ଥବା ସିଲେରୁ ଅଞ୍ଚଳର ଭନ୍ତଲା ରାମା, ପାଙ୍ଗି ରାଜୁ ଓ ଗୋଲାରୀ ତ୍ରିନୋଡାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଗାମୀ ଦିନରେ ବାଲିମେଳା ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଏପରି ଚଢ଼ାଉ ଜାରୀ ରହିବ। ବେଆଇନ ଭାବେ ଜଙ୍ଗଲରୁ ଗଛ କାଟି କାଠ ଚାଲାଣ କରୁଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲିମେଳା ବନାଞ୍ଚଳ ଅଧିକାରୀ ଲିପ୍ସିତା କଅଁର କହିଛନ୍ତି।