ସଂସଦ ଚାଲିବା ଜରୁରୀ କହିଲେ ରାହୁଲ; କଟାକ୍ଷ କଲା TMC

add-all

ଇଣ୍ଡିଆ ମେଣ୍ଟର କମାଣ ସମ୍ଭାଳିବାକୁ ନେଇ ଦୁଇ ସହଯୋଗୀ ଦଳ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ଭିତରେ ବାକ୍ ଯୁଦ୍ଧ ଜାରି ରହିଛି। ଆଉ ଦୁଇ ଦଳ ମଧ୍ୟରେ ବିବାଦ ଏବେ ସଂସଦରେ ମଧ୍ୟ ତେଜିବାକୁ ଲାଗିଲାଣି। ଆଦାନୀ ସମେତ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ମେଣ୍ଟର ସାଂସଦମାନେ ସଂସଦ ବାହାରେ ଜାରି ରଖିଥିବା ବିରୋଧ ବୁଧବାର ମଧ୍ୟ ଗୃହକୁ ଅଚଳ କରିଛି। ଯାହାକୁ ନେଇ କଂଗ୍ରେସକୁ କଟାକ୍ଷ କରିଛି ତୃଣମୂଳ କଂଗ୍ରେସ।

ସଂସଦର ଅଚଳାବସ୍ଥା ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଗୃହ କାର୍ଯ୍ୟ ସୁନିଶ୍ଚିତ କରିବାକୁ ଆମେ ଚେଷ୍ଟା କରୁଛୁ। ଗୃହରେ ଚର୍ଚ୍ଚା ହେବା ଉଚିତ୍। ୧୩ ତାରିଖରେ ସମ୍ବିଧାନ ଉପରେ ବିତର୍କ ହେବା ଉଚିତ୍। ସେମାନେ ମୋ ଉପରେ କିଛି ବି ଅଭିଯୋଗ କରନ୍ତୁ, କିନ୍ତୁ ଆଲୋଚନା ହେବା ଉଚିତ୍। ରାହୁଲ କହିଛନ୍ତି ଯେ ଆଦାନୀଙ୍କ ଉପରେ ଆଲୋଚନା କରିବାକୁ କେନ୍ଦ୍ର ସରକାର ଚାହୁଁନାହାଁନ୍ତି। ସେମାନେ ଆଦାନୀ ପ୍ରସଙ୍ଗରୁ ଦେଶର ନଜର ହଟାଇବାକୁ ଚାହୁଁଛନ୍ତି। ଆମେ କିନ୍ତୁ ଛାଡିବୁ ନାହିଁ। ସେମାନେ ଆମ ଉପରେ ନାନା ଅଭିଯୋଗ କରିବେ, କିନ୍ତୁ ଗୃହ କାର୍ଯ୍ୟ ଚାଲିବା ଜରୁରୀ। ତେବେ ତାଙ୍କ ଉପରେ ବିଜେପି ସାଂସଦ ଲଗାଇଥିବା ମିଥ୍ୟା ଅଭିଯୋଗ ରେକର୍ଡରୁ ହଟାଇବା ପାଇଁ ସେ ବାତସ୍ପତି ଓମ ବିର୍ଲାଙ୍କୁ ଭେଟି ଦାବି କରିଥିବା କହିଛନ୍ତି।

ସେପଟେ ଗୃହର ଅଚଳାବସ୍ଥା ନେଇ ରାହୁଲଙ୍କୁ କଟାକ୍ଷ କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ। ଗୃହ କିପରି ଚାଲିବ ବା ନଚାଲିବ ଏହା ଉଭୟ କଂଗ୍ରେସ ଓ ବିଜେପିର ଇଚ୍ଛା ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ସମାନେ ନିଷ୍ପତ୍ତି କରୁଛନ୍ତି ଗୃହ କେମିତି ଓ କେତେଦିନ ଚାଲିବ। ଏହା ଉଚିତ ନୁହେଁ। ସଂସଦରେ ବିଜେପି ଓ କଂଗ୍ରେସ ସାଂସଦମାନେ କହିବାକୁ ଅଧିକ ସମୟ ପାଉଛନ୍ତି। ଅନ୍ୟ ଦଳଗୁଡ଼ିକୁ ସେତିକି ସୁଯୋଗ ମିଳୁନାହିଁ।

ପ୍ରକାଶ ଥାଉ, କଂଗ୍ରେସର ଦୁଇ ସହଯୋଗୀ ଦଳ ତୃଣମୂଳ କଂଗ୍ରେସ ଓ ସମାଜବାଦୀ ପାର୍ଟି ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇନାହାନ୍ତି। ଅନ୍ୟପଟେ ରାହୁଲ ଗାନ୍ଧୀ ଓ ଅନ୍ୟ ସହଯୋଗୀ ଦଳର ସାଂସଦମାନେ ଆଜି ବିଭିନ୍ନ ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟି ଗୋଲାପ ଫୁଲ ଓ ତ୍ରିରଙ୍ଗା ଉପହାର ଦେଇ ସଂସଦ ସୁରୁଖୁରୁରେ ଚଳାଇବା ପାଇଁ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିଥିଲେ।

ad-week
Leave A Reply

Your email address will not be published.