

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁ କ୍ଷେତ୍ରରେ ଚର୍ଚ୍ଚାରେ ରହିଆସିଛି। ଏହି ସମବାୟ ନଗରୀର ଉଭୟ ପାର୍ଶ୍ଵ ଦେଇ ଋଷିକୂଲ୍ୟା ଓ ବଡ଼ ନଦୀ ପ୍ରବାହିତ ହେଉଛି। ଏହି ଦୁଇ ନଦୀର ବାଲିର ଚାହିଦା ଗଞ୍ଜାମ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶରେ ବି ରହିଛି। ଆସିକା ସହରକୁ ଥରେ ବଦଳୀ ହୋଇ ବାବୁ ମାନେ ଆସିଲେ ଏଠାକାର ପାଣି ପବନ ଖାପ ଖୁଆଇବା ପରେ ନେତା ଓ ମାଫିଆ ମାନଙ୍କ ସହ ସାଲାସୁତରା କରି ଯିବା ସମୟରେ ଜଣେ ଜଣେ କୁବେର ହୋଇ ଯିବାର ନଜିର ମଧ୍ୟ ରହିଛି। ଗତ ଛ’ମାସ ହେଲା ଆସିକା ଅଞ୍ଚଳରୁ ବାଲି, ପଥର, ମୋରମ ଓ ରଙ୍ଗ ମାଟି ଯେପରି ଲୁଟ ହୋଇ ଚାଲିଛି ଦେଶ ସ୍ୱାଧୀନ ପର ଠାରୁ ଏତେ ମାତ୍ରା ରେ ଲୁଟ ହୋଇନଥିବା ଚର୍ଚ୍ଚା ହେଲାଣି। ସରକାରଙ୍କ ରାଜସ୍ବ ଆଦାୟ ରେ ପ୍ରଶାସନ ଦୁର୍ବଳ ଥିବା ବେଳେ ନେତା ଠାରୁ ମାଫିଆ ମାନଙ୍କ ଆଦାୟ ପ୍ରବଳ ବୋଲି ଲୋକେ କହୁଛନ୍ତି। ଆସିକା ଅଞ୍ଚଳ ରେ ବିନା ଲିଜରେ ବାଲି, ମୋରମ, ପଥର ଓ ରଙ୍ଗ ମାଟି ବ୍ୟବସାୟ ରାଜସ୍ୱ, ଖଣି, ପୋଲିସ ଓ ନେତା ମାନଙ୍କୁ ଖୁସ କରି ମାଫିଆ ମାନେ ଲୁଟ କରୁଥିବା ଆଲୋଚନା ହେଉଛି। ଯେଉଁ ଭାଇ ମାନଙ୍କ ଯେଉଁ ଇଲାକା ସେ ଇଲାକାରୁ ଯେତେ ପାରିବ ସେତେ ଖଣିଜ ଜାତ ଦ୍ରବ୍ୟ ଲୁଟ କରୁଛନ୍ତି। ଏହି ବେଆଇନ କାର୍ଯ୍ୟ ଦେଖିଲେ ସତ ଯେମିତି ଏଠାରେ ତାଲିବାନ ଶାସନ ଚାଲିଥିବା ସ୍ପଷ୍ଟ ଜଣାପଡୁଛି। ଏହି ସବୁ ବେଆଇନ କାରବାର ରେ ବେକାର ଯୁବପିଢ଼ି କୁ ମାଫିଆ ମାନେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏହି ବେଆଇନ କାରବାର ରେ ଯାତାୟାତ ହେଉଥିବା ଦୁଇ ଚକିଆ, ଚାରି ଚକିଆ ସମେତ ଟିପର, ହାଇୱା ଗାଡ଼ିର ନମ୍ବର ଆସିକା ରେ ଦାୟିତ୍ୱ ରେ ଥିବା ବାବୁ ମାନଙ୍କ ନିକଟରେ ପଞ୍ଜିକରଣ କରାଯାଇ ଥିବା ଯୋଗୁଁ ଖବର ଦେଲେବି ଧରାପଗଡ଼ ହେଉନଥିବା ଚର୍ଚ୍ଚା ହେଉଛି। ଏହି ବେଆଇନ କାରବାର ରେ ଯେଉଁ ସବୁ ଯାନବାହାନ ବ୍ୟବହାର ହେଉଛି ବହୁ ଗାଡ଼ିର ନାଁ ଅଛି ଫିଟନେସ ନାଁ ଅଛି ଇନ୍ସୁରାନ୍ସ ବେଳେ ବେଳେ ଦୁର୍ଘଟଣା ହେଲେ ଅନ୍ୟ ଗାଡ଼ିକୁ ଦେଖାଉ ଥିବାର ନଜିର ରହିଛି। ଜିଲ୍ଲାରେ ଉଭୟ ବିଭାଗ ମନ୍ତ୍ରୀ ଥାଇବି ଏହି ଚୋରା କାରବାର ଚାଲିଥିବା ଯୋଗୁଁ ନେତା ଓ ମାଫିଆ ମାନେ କିପରି ସତସାହସ କରୁଛନ୍ତି ବୋଲି ଚାରିଆଡେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ସବୁ ବେଆଇନ କାର୍ଯ୍ୟ ପଛରେ ଯେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି ବିଭାଗୀୟ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଓ ଏସ.ପି ଅଚାନକ ଗସ୍ତ କରିଲେ ବାବୁ ମାନଙ୍କ ମୁଖା ଖୋଲିବ ବୋଲି ଆଲୋଚନା ହେଉଛି।