ଦୀପ ଜାଳିବା ବେଳେ ଅଘଟଣ: ଘଟଗାଁ ତାରିଣୀ ମନ୍ଦିରରେ ନିଆଁ ଲାଗି ମହିଳା ଗୁରୁତର

add-all

କେନ୍ଦୁଝର: ଦୀପ ନିଆଁରେ ଜଣେ ମହିଳା ଶ୍ରଦ୍ଧାଳୁ ଜଳି ଯାଇଛନ୍ତି। ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରରେ ଆଜି ଅପରାହ୍‌ଣରେ ଏହି ଅଘଟଣ ଘଟିଛି। ଗୁରୁତର ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ହେଲେ ମୀନାକ୍ଷୀ ବରାଳ।

ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କୁରୁଣ୍ଟି ଗାଁର ମୀନାକ୍ଷୀ ବରାଳ ନିଜ ପରିବାର ଲୋକଙ୍କ ସହିତ ଘଟଗାଁ ତାରିଣୀ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ସେଠାରେ ସେ ମା’ଙ୍କ ଦର୍ଶନ କରିବା ସହିତ ଦୀପଷ୍ଟାଣ୍ଡରେ ଦୀପ ଜାଳୁଥିଲେ। ଏହି ସମୟରେ ଅସାବଧାନତା ଯୋଗୁଁ ତାଙ୍କର ଶାଢ଼ିରେ ନିଆଁ ଲାଗିଯାଇଥିଲା। ଦେଖୁଦେଖୁ ଏହି ନିଆଁ ସାରା ଶରୀରକୁ ବ୍ୟାପି ଯାଇଥିଲା। ସେଠାରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେଠାରୁ ତାଙ୍କୁ ଡାକ୍ତର କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।

ଅସାବଧାନତା ଯୋଗୁଁ ଦୀପ ନିଆଁରୁ ବହୁବାର ଅଘଟଣ ଘଟୁଛି। ଶ୍ରଦ୍ଧାର ଦୀପ ଜାଳିବା ସମୟରେ ସାମାନ୍ୟ ଅବହେଳା ଯୋଗୁଁ ଶ୍ରଦ୍ଧାଳୁଙ୍କୁ ହଇରାଣ ହେବାକୁ ପଡୁଛି। କେବଳ ଆଜିର ଘଟଣା ନୁହେଁ। ପୂର୍ବରୁ ମଧ୍ୟ ମନ୍ଦିରରେ ଦୀପ ଜାଳିବା ସମୟରେ ଅଘଟଣ ଘଟିଛି। ଅତୀତରେ ତାରାତାରିଣୀ ମନ୍ଦିରରେ ମଧ୍ୟ ଦୀପ ନିଆଁ ଯୋଗୁଁ ଅଘଟଣ ଘଟିଛି।

ଏହ ପୂର୍ବରୁ ୪ଦିନ ପୂର୍ବରୁ ମଧ୍ୟ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନରେ ନିଆଁ ଲାଗିଥିଲା। ନିଆଁରେ ୧୦ରୁ ଅଧିକ ଭୋଗ ଲୋକ ଜଳିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗତ ୧୦ ତାରିଖ ବିଳମ୍ବିତ ରାତିରେ ତାରିଣୀ ମନ୍ଦିର ୨ନମ୍ବର ଗେଟ ନିକଟରେ ଥିବା ଏକ ଭୋଗ ଦୋକାନରେ ନିଆଁ ଲାଗିଯାଇଥିଲା। ପରେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ନିଆଁଲାଗି ୧୦ରୁ ଅଧିକ ଦୋକାନ ପୋଡ଼ି ଯାଇଥିଲା। ସ୍ଥାନୀୟ ଲୋକେ ଦୋକାନରେ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଯାଇଥିଲା।

ad-week
Leave A Reply

Your email address will not be published.