
ନୟାଗଡ଼: ନୟାଗଡ଼ ଜିଲ୍ଲାର ପ୍ରମୁଖ ଆଧ୍ୟାତ୍ମିକ ପୀଠ ଶ୍ରୀ ଶ୍ରୀ ରଘୁନାଥ ଜୀଉ ରୂପାନ୍ତରୀକରଣରେ ଚରମ ଅବହେଳା ର ଅଭିଯୋଗ ଆସିଛି । ମନ୍ଦିର ରୂପାନ୍ତରୀକରଣ ପାଇଁ ୩କୋଟି ୫୦ଲକ୍ଷ ବ୍ୟୟ ବରାଦ କରାଯାଇଥିଲା ହେଲେ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ମାନମାନୀ ଯୋଗୁଁ ମନ୍ଦିର ତଥା ମନ୍ଦିର ପ୍ରାଙ୍ଗଣ ଅବହେଳିତ ଅବସ୍ଥାରେ ଅଛି । ଫଳରେ ଭକ୍ତଙ୍କର ଭାବାବେଗ ଆଘାତ କରୁଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବ୍ୟାପିବାରେ ଲାଗିଛି । ଏଥିପାଇଁ ମନ୍ଦିର ପୂଜକ ପରିଷଦ ଠିକାଦାରଙ୍କ ଚରମ ଅବହେଳା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ରୂପାନ୍ତିକରଣ କାର୍ଯ୍ୟ ନସରେ ପୂଜକ ପରିଷଦ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନା ଅନୁଯାୟୀ ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ମନ୍ଦିର ରୂପାନ୍ତିକରଣ ପାଇଁ ୩କୋଟି ୫୦ଲକ୍ଷ ମଞ୍ଜୁର ଯାଇଥିଲା। ମନ୍ଦିର ବ୍ୟତୀତ ରଘୁନାଥ ମାର୍କେଟ କମ୍ପ୍ଲେକ୍ସ, ରାମବିହାର, ମନ୍ଦିର ପାଚେରୀ ନିର୍ମାଣ ସବୁ ଅଧା ଗଢା ହୋଇ ରହିଛି ତେଣୁ ମନ୍ଦିର ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ପାଚେରୀ ନିର୍ମାଣ ପାଇଁ ଆସିଥିବା ବାଲି ଏଣେତେଣେ ପଡ଼ିଥିବା ବେଳେ ବୁଲା କୁକୁର ମଳ ମୂତ୍ର ତ୍ୟାଗ କରୁଛନ୍ତି । ଝୁଲଣ ମଣ୍ଡପ ଗୃହ ରୁ ସିମେଣ୍ଟ ଛଡ଼ା ଯାଇ ମରାମତି ମଧ୍ୟ ହୋଇନାହିଁ। ଏପରିକି ରୋଷଘର, ଭଣ୍ଡାର ଘର, ମୁଖ୍ୟ ମନ୍ଦିର ର କୌଣସି କାମ ବର୍ତମାନ ସୁଦ୍ଧା ଆରମ୍ଭ ହୋଇନାହିଁ । ବାର ମାସରେ ତେର ପର୍ବ ପାଳିତ ହେଉଥିବା ଏହି ମନ୍ଦିରରେ ଏପରି ଚରମ ଅବହେଳା ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଉକ୍ତ ସମସ୍ୟାର ସମାଧାନ ତଥା ମନ୍ଦିର ରୂପାନ୍ତିକରଣ କାର୍ଯ୍ୟ ଯଥା ଶୀଘ୍ର କରିବା ପାଇଁ ସରକାର ,ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନ ଅଧିକାରୀ ମାନେ ଗୁରୁତ୍ଵ ଦେବାପାଇଁ ଦାବି ହେଉଛି।