୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ

add-all

ଇମ୍ଫାଲ : ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେଲା ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷକୁ ନେଇ ମଣିପୁର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଏସବୁ ଭିତରେ ୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ। ଚଳିତ ବର୍ଷ ନୂଆ ସମ୍ଭାବନା ସହ ଶେଷ ହୋଇଛି ଓ ୨୦୨୫ରେ ରାଜ୍ୟରେ ସବୁ କିଛି ସ୍ୱାଭାବିକ ହୋଇଯିବ ବୋଲି ସେ ଆଶା ରଖିଥିବା କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, “ପୂରା ବର୍ଷ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ରହିଛି। ଗତବର୍ଷ ମେ’ ୩ରୁ ଆଜି ଯାଏ ରାଜ୍ୟରେ ଯାହା ସବୁ ଘଟି ଚାଲିଛି, ସେସବୁ ପାଇଁ ଲୋକମାନଙ୍କୁ ମୁଁ କେବଳ ସରି କହିବାକୁ ଚାହୁଁଛି। ଅନେକ ଲୋକ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି। ଅନେକ ଲୋକ ନିଜର ଘରଦ୍ୱାରା ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।
ଏଥିପାଇଁ ମୁଁ ମର୍ମାହତ ଓ ଅନୁତପ୍ତ। ମୁଁ କ୍ଷମା ମାଗୁଛି। କିନ୍ତୁ ମୋର ଆଶା ଗତ ୩ରୁ ୪ ମାସ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା ଉଦ୍ୟମ ନିଶ୍ଚିତ ସଫଳ ହେବ। ମୋର ବିଶ୍ୱାସ ୨୦୨୫ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ସ୍ଥିତି ପୁଣି ଫେରିବ।
ରାଜ୍ୟରେ ଥିବା ସବୁ ସଂପ୍ରଦାୟର ଲୋକଙ୍କୁ ମୁଁ ନିବେଦନ କରୁଛି ଯେ ଯାହା ଘଟିବାର ଥିଲା ଘଟି ସାରିଛି। ଏବେ ଆପଣମାନେ କ୍ଷମା କରି ଦିଅନ୍ତୁ ଓ ଅତୀତରେ ଘଟିଥିବା ଭୁଲକୁ ଭୁଲି ଯାଆନ୍ତୁ। ଆମକୁ ଶାନ୍ତି ଓ ସ୍ଥିର ମଣିପୁର ପାଇଁ ଗୋଟିଏ ନୂଆ ଆରମ୍ଭ କରିବାକୁ ପଡ଼ିବ। ସମସ୍ତ ୩୫ ଆଦିବାସୀ ସଂପ୍ରଦାୟ ମଣିପୁରରେ ଏକାଠି ଶାନ୍ତିର ସହ ରହିବା ଦରକାର।”
ଗତବର୍ଷ ମେ’ ୩ରୁ କୁକି ଓ ମୈତେଇ ସଂପ୍ରଦାୟର ମଧ୍ୟରେ ହିଂସା ଜାରି ରହିଛି। ଏହି ହିଂସାରେ ୧୮୦ ଜଣଙ୍କ ଜୀବନ ଯାଇଥିବା ବେଳେ ଲକ୍ଷାଧିକ ଲୋକ ଘର ଦ୍ୱାର ଛାଡ଼ି ରିଲିଫ କ୍ୟାମ୍ପରେ ରହୁଛନ୍ତି।

ad-week
Leave A Reply

Your email address will not be published.