ବିଜେପିର ବଡ଼ ଦାବି: ବେଆଇନ ଭାବେ ଦିଲ୍ଲୀରେ ଭୋଟ ଦେଇଛନ୍ତି ଆପ୍‌ ସାଂସଦଙ୍କ ପତ୍ନୀ

add-all

ନୂଆଦିଲ୍ଲୀ : ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ କ୍ଷମତାସୀନ ଆପ୍‌ ଓ ବିଜେପି ମଧ୍ୟରେ ଭୋଟର ତାଲିକାକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ଭୋଟର ତାଲିକାରୁ ବିଜେପି ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ପତ୍ନୀଙ୍କ ନାଁ ଡିଲେଟ କରିବାକୁ ଉଦ୍ୟମ କରିଥିଲା ବୋଲି ଅଭିଯୋଗ ହୋଇଛି। ନିଜେ ସଞ୍ଜୟ ସିଂହ ଏପରି ଅଭିଯୋଗ ଆଣିବାରୁ ଆଜି ବିଜେପି ପକ୍ଷରୁ ଏହାକୁ କାଉଣ୍ଟର କରାଯାଇଛି। ସାଂସଦ ସଞ୍ଜୟ ସିଂହଙ୍କ ପତ୍ନୀ ବେଆଇନ ଭାବେ ନୂଆଦିଲ୍ଲୀ ବିଧାନସଭା ଆସନରେ ନାଁ ପଞ୍ଜୀକରଣ କରି ଭୋଟ ଦେଇଥିଲେ ବୋଲି ବିଜେପି କହିଛି।
ବିଜେପି ଆଇଟି ମୁଖ୍ୟ ଅମିତ ମାଲବ୍ୟ ସଞ୍ଜୟ ସିଂହଙ୍କ ପତ୍ନୀ ଅନୀତାଙ୍କ ନାଁରେ ଥିବା ଗୋଟିଏ ସତ୍ୟପାଠକୁ ଭାଇରାଲ କରି ସେ ଉତ୍ତର ପ୍ରଦେଶର ସୁଲତାନପୁର ଭୋଟର ବୋଲି ଦାବି କରିଛନ୍ତି। ସେ କହିଛନ୍ତି, “ଏହା ହେଉଛି ସଞ୍ଜୟ ସିଂହଙ୍କ ପତ୍ନୀ ସୁନୀତାଙ୍କ ସତ୍ୟପାଠ। ଏଥିରେ ସେ ୟୁପିର ସୁଲତାନପୁର ଭୋଟର ବୋଲି ଦର୍ଶାଇଛନ୍ତି।
ଏବେ ପ୍ରଶ୍ନ ଉଠୁଛି ଯେ ଯିଏ ଦିଲ୍ଲୀର ଭୋଟର ନୁହନ୍ତି, ତାଙ୍କ ନାଁ କେମିତି ଭୋଟର ତାଲିକାରୁ ଡିଲେଟ କରାଯିବ? ସେହିପରି ସେ(ସୁନୀତା) ନିଜକୁ ସତ୍ୟପାଠ ଜରିଆରେ ସୁଲତାନପୁର ଭୋଟର କହି ଯଦି ଦିଲ୍ଲୀରେ ଭୋଟ ଦେଇଛନ୍ତି, ତା’ହେଲେ ଏହା ଆଇନ ଅନୁସାରେ ଅପରାଧ।
ଏବେ ସଞ୍ଜୟ ସିଂହ ନିଷ୍ପତ୍ତି ନିଅନ୍ତୁ ଯେ ସେ ନିଜ ପତ୍ନୀଙ୍କୁ ଆଉ କେତେ ଅପମାନିତ କରିବେ? କେବଳ ଜଣେ ଅତ୍ୟନ୍ତ ଖରାପ ଲୋକ ହିଁ ରାଜନୀତି ପାଇଁ ନିଜ ପତ୍ନୀଙ୍କୁ ଏପରି ଅପମାନିତ କରିପାରିବେ।”
ଅନ୍ୟପକ୍ଷରେ ସଞ୍ଜୟ ସିଂହ କହିଛନ୍ତି,“ମୋ ପତ୍ନୀ ସୁଲତାନପୁରର ଭୋଟର ହୋଇ ରହିଥିବା ମିଛ ମନୋଜ ତିୱାରୀ ପ୍ରଚାର କରିବାରେ ଲାଗିଛନ୍ତି। ସେମାନେ ନିର୍ବାଚନ କମିଶନଙ୍କ ୱେବସାଇଟ ଚେକ କରିବା ଦରକାର। ଅନୀତା କେଉଁ ସ୍ଥାନର ଭୋଟର, ସେକଥା ୱେବସାଇଟରୁ ସେମାନେ ଜାଣିପାରିବେ।
ମେ’ ମାସରେ ସେ ଦିଲ୍ଲୀ ଲୋକସଭା ପାଇଁ ଭୋଟ ଦେଇଥିଲେ। କିନ୍ତୁ ତିୱାରୀ ଜାନୁଆରୀ ମାସର ସତ୍ୟପାଠ ଦେଖାଉଛନ୍ତି। ଜାନୁଆରୀ ୪ରେ ସୁଲତାନପୁର ଭୋଟର ତାଲିକାରୁ ସୁନୀତାଙ୍କ ନାଁ ହଟାଇବାକୁ ଆବେଦନ କରାଯାଇଥିଲା। ତେଣୁ ସେ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀର ଭୋଟର।”

ad-week
Leave A Reply

Your email address will not be published.