ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଦୁଇଗୁଣ ହେଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା

add-all

ଭୁବନେଶ୍ବର : ବର୍ଷ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରୁଛନ୍ତି ରାଜ୍ୟ ସରକାର। ଗତକାଲି ରାତିରେ ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ବୃଦ୍ଧି କରିଥିବାବେଳେ ଆଜି ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୩୮ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି।
କାରାବରଣ କରିଥିବା ସବୁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ପେନସନକୁ ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। କାରାବରଣ କରିନଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପେନସନକୁ ୯ ହଜାରରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ସେହିପରି ଜାତୀୟ ପେନସନ ପାଉଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନକୁ ମାସକୁ ୮ ହଜାର ପରିବର୍ତ୍ତେ ୧୦ ହାଜର ଟଙ୍କାକୁ ବୃଦ୍ଧି କରାଯାଇଛି।
ଅନ୍ୟପଟେ MISA ଆଇନରେ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ସଂଗ୍ରାମୀ ମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନସନ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆସନ୍ତା ଜାନୁଆରୀ ୫ ତାରିଖ ଦିନ ସହିଦ ମାଧୋ ସିଂ ଯୋଜନା ଆରମ୍ଭ କରି ସରକାର ତାଙ୍କୁ ଯଥୋଚିତ ସମ୍ମାନଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ad-week
Leave A Reply

Your email address will not be published.