ସାମ୍ବାଦିକ ମୁକେଶଙ୍କ ହତ୍ୟା ଘଟଣାରେ ଟ୍ୱିଷ୍ଟ; ସଂପର୍କୀୟ ଭାଇ ଗିରଫ

add-all

ଛତିଶଗଡ଼ର ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କ ହତ୍ୟା ଘଟଣାରେ ଆସିଛି ରୋଚକ ମୋଡ଼। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ମୁକେଶଙ୍କ ସଂପର୍କୀୟ ଭାଇ ରିତେଶ ଚନ୍ଦ୍ରାକର।

ନିଜର ଅନୁସନ୍ଧାନମୂଳକ ରିପୋର୍ଟ ପାଇଁ ଛତିଶଗଡ଼ରେ ବେଶ୍ ଜଣାଶୁଣା ଥିବା ସାମ୍ବାଦିକ ମୁକେଶ ଚନ୍ଦ୍ରାକର ନିକଟରେ ବସ୍ତର ଅଞ୍ଚଳରେ ଏକ ରାସ୍ତା କାମରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିଥିଲେ। ଏହି ରାସ୍ତା ନିର୍ମାଣ ପାଇଁ ୫୦ କୋଟି ଟଙ୍କାର ଟେଣ୍ଡର ଦିଆଯାଇଥିଲା। ପରେ ଏହା ବଢ଼ି ବଢ଼ି ୧୨୦ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। କିନ୍ତୁ ରାସ୍ତାର ନିର୍ମାଣ ଶୈଳୀ ତଥା ଏହାର ମାନ ଓ ଲମ୍ବ କିମ୍ବା ଓସାରରେ କୌଣସି ପରିବର୍ତ୍ତନ କରାଯାଇ ନଥିବାରୁ ୧୨୦ କୋଟି ଟଙ୍କା କେମିତି ଖର୍ଚ୍ଚ ହେଲା ବୋଲି ସେ ପ୍ରଶ୍ନ ଉଠାଇଥିଲେ ଓ ଏଥିରେ କେମିତି ଦୁର୍ନୀତି ହୋଇଛି, ସେ ନେଇ ରିପୋର୍ଟ ପ୍ରକାଶ କରିଥିଲେ। ଏହା ପରେ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେଣୁ ତାଙ୍କ ଉପରେ ରାଗ ରଖିଥିଲେ ରାସ୍ତା ତିଆରି କରିଥିବା ଠିକାଦାର ଓ ଏଥିରେ ସଂପୃକ୍ତ ଅନ୍ୟ ଲୋକ। 

ଠିକାଦାର ସୁରେଶ ଚନ୍ଦ୍ରାକର ଏହି ରାସ୍ତାକାମ କରିଥିଲେ। ତାଙ୍କ ସହିତ ମୁକେଶଙ୍କର ଏକ ବୈଠକ ବ୍ୟବସ୍ଥା କରିଥିଲେ ରିତେଶ (ମୁକେଶଙ୍କ ଭାଇ)। ଜାନୁଆରୀ ୧ ତାରିଖରେ ଏହି ବୈଠକ ହୋଇଥିଲା। ଏହି ବୈଠକରେ ଯୋଗ ଦେବାକୁ ଯିବା ପରଠାରୁ ମୁକେଶଙ୍କ ଫୋନ୍ ସୁଇଚ୍‌ ଅଫ୍ ଦେଖାଇଥିଲା। ତା’ପରେ ସେ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବଡ଼ ଭାଇ ପୁଲିସ୍‌ରେ ଖବର ଦେଇଥିଲେ। ଦୁଇ ଦିନ ପରେ ଅର୍ଥାତ୍ ଗତକାଲି ଚତ୍ତନପଡ଼ାରେ ଠିକାଦାର ସୁରେଶ ଚନ୍ଦ୍ରାକରଙ୍କ ଏକ ଘର ନିକଟରେ ଥିବା ସେପ୍‌ଟିକ୍ ଟାଙ୍କିରୁ ମୁକେଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ପୁଲିସ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ରିତେଶ ସହିତ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ ଦୀନେଶ ଚନ୍ଦ୍ରାକର ମଧ୍ୟ ଅଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଠିକାଦାର ସୁରେଶ ଫେରାର ହୋଇଯାଇଛନ୍ତି।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁ ସ୍ଥାନରେ ମୁକେଶଙ୍କ ମୃତଦେହ ମିଳିଥିଲା, ସେଠାରେ ରିତେଶ ଓ ସେ ବରାବର ଦେଖାସାକ୍ଷାତ ହୁଅନ୍ତି। ସେମାନଙ୍କ ମଧ୍ୟରେ ଖୁବ୍ ଭଲ ସଂପର୍କ ଥିଲା। ତଥାପି ମୁକେଶ ଏହି ଦୁର୍ନୀତି ସଂପର୍କରେ ରିପୋର୍ଟ ପ୍ରକାଶ କରିବାରୁ ରିତେଶଙ୍କ ସହିତ ତାଙ୍କ ସଂପର୍କ ଖଟା ହୋଇଥିଲା।

ad-week
Leave A Reply

Your email address will not be published.