
ଜୟପୁର: ନୁଡୁଲ୍ସ ଖାଇବା ହେଲା କାଳ । ଘରେ ତିଆରି ନୁଡୁଲ୍ସ ଖାଇବା ପରେ ଚାଲିଗଲା ୭ ବର୍ଷୀୟା ଶିଶୁକନ୍ୟାର ଜୀବନ । ଅନ୍ୟପଟେ ବଡ଼ ଭଉଣୀ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି। ଏଭଳି ଏକ ଦୁଃଖଦ ଘଟଣା ରାଜସ୍ଥାନର ଜୟପୁରସ୍ଥିତ ଝୋଟୱାଡ଼ାର ମଙ୍ଗଳମ୍ ସିଟି ଅଞ୍ଚଳରେ ଘଟିଛି । ପ୍ରାଥମିକ ଭାବେ ଫୁଡ୍ ପଏଜନିଂ ଆଶଙ୍କା କରାଯାଉଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଦୁଇ ଭଉଣୀ ଘରେ ନିଜେ ନୁଡୁଲ୍ସ ତିଆରି କରି ଖାଇଥିଲେ । ଖାଇବା ପରେ ଉଭୟ ଶୋଇପଡ଼ିଥିଲେ। ଅପରାହ୍ନ ପ୍ରାୟ ୩ଟା ସମୟରେ ମାଆ ଘରକୁ ଫେରି ଦୁଇ ଝିଅଙ୍କୁ ଉଠାଇଥିଲେ। ବଡ଼ ଝିଅ ଦିବ୍ୟାଂଶୀ ଉଠିଥିବା ବେଳେ ସାନ ଝିଅ ପିହୁ ଆଉ ଉଠିନଥିଲେ । ଏହାପରେ ପରିବାର ଲୋକେ ତୁରନ୍ତ ଦୁଇ ଭଉଣୀଙ୍କୁ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ୭ ବର୍ଷୀୟା ପିହୁ କୁମାୱତଙ୍କୁ ମୃତ ଘୋଷଣା କରିଥିବାବେଳେ ବଡ଼ ଭଉଣୀ ଦିବ୍ୟାଂଶୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା। ତେବେ ଚିକିତ୍ସା ପରେ ଆଜି ସକାଳେ ତାଙ୍କୁ ଡିସଚାର୍ଜ କରାଯାଇଛି ।
ଅନ୍ୟପଟେ ଘଟଣାର ଖବର ପାଇ କରଧନୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଘରୁ ନୁଡୁଲ୍ସର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛି । ମୃତ ଶିଶୁର ମାଆ ମଧ୍ୟ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଫୁଡ୍ ପଏଜନିଂ ଯୋଗୁଁ ମୃତ୍ୟୁ ହୋଇଛି କି ନାହିଁ, ତାହା ପୋଷ୍ଟମର୍ଟମ ରିପୋର୍ଟ ଏବଂ ଲ୍ୟାବ୍ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।
