ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ନସିମ ଦୁରାନୀ ନିପାତ

kalipuja

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଶୁକ୍ରବାର ସକାଳୁ ଏନକାଉଣ୍ଟରରେ ନିହତ ହୋଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ନସିମ ଦୁରାନୀ । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏବଂ ୟୁପି ଏସଟିଏଫର ନୋଏଡା ୟୁନିଟ୍ ମିଳିତ ଭାବେ ବୁଲନ୍ଦସହରର ସିକନ୍ଦରାବାଦ ଅଞ୍ଚଳରେ ଶୁକ୍ରବାର ଭୋର୍ ସମୟରେ ଏହି ଅପରେସନ୍ କରିଥିଲେ । ଭୟଙ୍କର ଗୁଳିବିନିମୟରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷିତ ଅପରାଧୀ ନସିମ ଦୁରାନୀ ନିହତ ହୋଇଛି ।

ଅଣ୍ଡରୱାର୍ଲ୍ଡ ‘ଡି-କମ୍ପାନୀ’ ସହ ଜଡ଼ିତ ଏହି ଗ୍ୟାଙ୍ଗଷ୍ଟର ଦିଲ୍ଲୀରେ ଘଟିଥିବା ଏକ ଚର୍ଚ୍ଚିତ ହତ୍ୟା ମାମଲାରେ ଓ୍ୱାଣ୍ଟେଡ୍ ଥିଲା। ପୋଲିସକୁ ଚକମା ଦେଇ ବାରମ୍ବାର ନିଜର ଠିକଣା ବଦଳାଇ ଫେରାର ହେବାକୁ ଯୋଜନା କରୁଥିଲା। ତା’ ନାଁରେ ଗାଜିଆବାଦ ପୋଲିସ ପକ୍ଷରୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ଏହାସହ ଚାରି ଦିନ ପୂର୍ବରୁ ଦିଲ୍ଲୀରେ ମନ୍ତ୍ରୀ କପିଲ ମିଶ୍ରଙ୍କ କାର୍ଯ୍ୟାଳୟ ବାହାରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ମଧ୍ୟ ନସିମ ଅଭିଯୁକ୍ତ ଥିଲା। ଏହି ଆକ୍ରମଣରେ ସମୀର ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା।

ପୋଲିସ ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ ଏବଂ ଏସଟିଏଫ୍ ଟିମ୍ ଦୀର୍ଘଦିନ ଧରି ୩୭ ବର୍ଷୀୟ ନସିମ ଦୁରାନୀକୁ ଖୋଜୁଥିଲେ। ସେ ଦିଲ୍ଲୀର ନ୍ୟୁ ମୁସ୍ତଫାବାଦସ୍ଥିତ ରାଜୀବ ଗାନ୍ଧୀ ନଗର, ଗଳି ନମ୍ବର ୬ର ବାସିନ୍ଦା ଇସଲାମୁଦ୍ଦିନଙ୍କ ପୁଅ । ଶୁକ୍ରବାର ଭୋର୍‌ରେ ଗୁପ୍ତ ସୂଚନା ଆଧାରରେ ମିଳିତ ପୋଲିସ ଟିମ୍ ବୁଲନ୍ଦସହରର ସିକନ୍ଦରାବାଦ ଥାନା ଅଞ୍ଚଳରେ ହାଇୱେ ନିକଟ ଜାଟ୍ ଚୌକ୍ ପାଖରେ ତାକୁ ଘେରାଉ କରିଥିଲେ। ନିଜକୁ ଚାରିପଟୁ ଘେରାଉ ହୋଇଥିବା ଦେଖି ନସିମ ପୋଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲା । ଏହାପରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ଏଥିରେ ନସିମ ଗୁଳିବିଦ୍ଧ ହୋଇ ଗୁରୁତର ଆହତ ହୋଇଥିଲା । ପୋଲିସ ତାକୁ ତୁରନ୍ତ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ମାତ୍ର ଚାରି ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଅପରାଧିକ ଘଟଣା ଘଟାଇଥିଲା ନସିମ ଦୁରାନୀ। ନଭେମ୍ବର ୧୬ ତାରିଖ ରାତିରେ ଉତ୍ତର-ପୂର୍ବ ଦିଲ୍ଲୀର ସୋନିଆ ବିହାର ଅଞ୍ଚଳରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ବିଜେପି ବିଧାୟକ କପିଲ ମିଶ୍ରଙ୍କ କ୍ୟାମ୍ପ କାର୍ଯ୍ୟାଳୟ ବାହାରେ ୧୫ରୁ ୨୦ ରାଉଣ୍ଡରୁ ଅଧିକ ଗୁଳି ଚାଳନା ହୋଇଥିଲା। ଏହି ଗୁଳିକାଣ୍ଡରେ ସମୀର ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଘଟଣା ପରଠାରୁ ନସିମ ଫେରାର ଥିଲା । ଦିଲ୍ଲୀ କ୍ରାଇମବ୍ରାଞ୍ଚର ତଦନ୍ତରେ ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ତା’ର ନାଁ ସାମ୍ନାକୁ ଆସିଥିଲା ।

ନସିମ ଦୁରାନୀର ଅପରାଧିକ ଇତିହାସ ବେଶ୍ ଲମ୍ବା। ତା’ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଲୁଟ୍ ଭଳି ୨୫ରୁ ଅଧିକ ସଙ୍ଗୀନ ମାମଲା ରୁଜୁ ହୋଇଥିଲା । ଅଣ୍ଡରୱାର୍ଲ୍ଡ ନେଟୱର୍କ ‘ଡି-କମ୍ପାନୀ’ ଏବଂ ଛୋଟା ଶକିଲ ସହ ତା’ର ସମ୍ପର୍କ ଥିବା କୁହାଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୧୬-୧୭ ମସିହାରେ ଛୋଟା ଶକିଲ ତିହାର ଜେଲ୍‌ରେ ବନ୍ଦୀ ଥିବା ଛୋଟା ରାଜନଙ୍କୁ ହତ୍ୟା କରିବା ପାଇଁ ନସିମକୁ ସୁପାରି ଦେଇଥିଲା । ଏହାବ୍ୟତୀତ ତାରିକ ଫତେହଙ୍କ ହତ୍ୟା ଷଡ଼ଯନ୍ତ୍ରରେ ମଧ୍ୟ ତା’ର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ନସିମ ଦୁରାନୀର ମୃତ୍ୟୁକୁ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ପୋଲିସ ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି ।

ad-week
Leave A Reply

Your email address will not be published.