ବିନା କାରଣରେ ସ୍ୱାମୀଙ୍କଠାରୁ ଅଲଗା ରହିଲେ ମିଳିବନି ଭରଣପୋଷଣ

kalipuja

ନୂଆଦିଲ୍ଲୀ: ହାଇକୋର୍ଟଙ୍କ ବଡ଼ ରାୟ । ବିନା ଉପଯୁକ୍ତ କାରଣରେ ସ୍ୱାମୀଙ୍କଠାରୁ ଅଲଗା ରହିଲେ ପତ୍ନୀଙ୍କୁ ମିଳିବନି ଭରଣପୋଷଣ । CrPC ଧାରା ୧୨୫କୁ ନେଇ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହିମାଚଳ ପ୍ରଦେଶ ହାଇକୋର୍ଟ । ପତ୍ନୀଙ୍କ ଆବେଦନକୁ ଖାରଜ କରିବା ସହ ବିଲାସପୁର ଫ୍ୟାମିଲି କୋର୍ଟଙ୍କ ପୂର୍ବ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ ।

ମାମଲା ଅନୁସାରେ, ବିଲାସପୁର ଫ୍ୟାମିଲି କୋର୍ଟ ସ୍ୱାମୀଙ୍କୁ ନାବାଳକ ପୁଅର ଭରଣପୋଷଣ ପାଇଁ ପ୍ରତି ମାସରେ ୫ ହଜାର ଟଙ୍କା ଦେବା ସହ ତା’ର ଶିକ୍ଷା, ଚିକିତ୍ସା ଏବଂ ବିବାହ ଖର୍ଚ୍ଚ ବହନ କରିବାକୁ ଆଦେଶ ଦେଇଥିଲେ । କିନ୍ତୁ ପତ୍ନୀଙ୍କୁ ଭରଣପୋଷଣ ଦେବାକୁ ମନା କରିଥିଲେ ।

ଏହି ରାୟକୁ ଚ୍ୟାଲେଞ୍ଜ କରି ପତ୍ନୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଶୁଣାଣି ସମୟରେ ପତ୍ନୀ ନିଜର କୌଣସି ସ୍ୱତନ୍ତ୍ର ଆୟ ନଥିବା ଯୁକ୍ତି ରଖିଥିବା ବେଳେ, ସ୍ୱାମୀ ତାଙ୍କୁ ଘର ଛାଡ଼ିବାକୁ ବାଧ୍ୟ କରିନଥିବା କହିଥିଲେ । ସମସ୍ତ ତଥ୍ୟ ଓ ପ୍ରମାଣ ଯାଞ୍ଚ ପରେ ହାଇକୋର୍ଟ କହିଥିଲେ, ଏମ୍ଏ ଏବଂ ବିଏଡ୍ ଶିକ୍ଷିତ ପତ୍ନୀ ସ୍ୱାମୀଙ୍କଠାରୁ ଅଲଗା ରହିବାର କୌଣସି ଯଥାର୍ଥ କାରଣ ପ୍ରମାଣ କରିପାରିନାହାନ୍ତି । ଏପରିକି ନିମ୍ନ ଅଦାଲତରେ ସେ ରାଗିଗଲେ ସ୍ୱାମୀଙ୍କୁ ମାଡ଼ ମାରୁଥିବା ସ୍ୱୀକାର କରିଥିଲେ ।

ଏହାକୁ ଆଧାର କରି ହାଇକୋର୍ଟ ପତ୍ନୀଙ୍କ ଆବେଦନକୁ ଖାରଜ କରିଛନ୍ତି । ତେବେ ନାବାଳକ ପୁଅର ଭରଣପୋଷଣ ପାଇଁ ପ୍ରତି ମାସରେ ୫ ହଜାର ଟଙ୍କା ସହ ତା’ର ଶିକ୍ଷା, ଚିକିତ୍ସା ଓ ବିବାହ ଖର୍ଚ୍ଚ ଦେବାକୁ ଫ୍ୟାମିଲି କୋର୍ଟ ଦେଇଥିବା ନିର୍ଦ୍ଦେଶ ବଳବତ୍ତର ରହିଛି । ତେବେ ଏହି ରାୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବିନା ଯଥାର୍ଥ କାରଣରେ ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ପତ୍ନୀ CrPC ଧାରା ୧୨୫ ଅନୁଯାୟୀ ଭରଣପୋଷଣ ପାଇବାକୁ ହକ୍ଦାର ହେବେ ନାହିଁ ।

ad-week
Leave A Reply

Your email address will not be published.