ଅଶ୍ଳୀଳତା ମୁକ୍ତ ହେବ ଖଣ୍ଡଗିରି ଯାତ୍ରା; ନାଚି ପାରିବେନି ନିଶା, ରାଣୀ ପ୍ରିୟଦର୍ଶିନୀ ଓ ସାହୁ ଭାଉଜ

add-all

ଭୁବନେଶ୍ବର: ରାଜଧାନୀର ଛାତି ଉପରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି କୁମ୍ଭମେଳା ପାଖେଇ ଆସୁଛି। ସମୟ କମ୍‌ ଦିନ ଥିବାରୁ ଏବେ ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି। ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଯାତ୍ରା କମିଟି ସଜବାଜ ହେଉଛନ୍ତି। ଏହାରି ମଧ୍ୟରେ ଆଜି ଯାତ୍ରାପ୍ରେମୀଙ୍କ ପାଇଁ ବଡ଼ ଖବର ଆସିଛି। ଏହି ଖବର ନାଟକକୁ ଭଲ ପାଉଥିବା ପ୍ରଶଂସକ ଓ ଯାତ୍ରାପ୍ରେମୀମାନଙ୍କ ପାଇଁ। ଯାତ୍ରା କମିଟି ସଦସ୍ୟ ଓ ପୁଲିସ ବୈଠକରେ ‌ଯାହା ଚର୍ଚ୍ଚା ହୋଇଛି, ଏହା ଦ୍ବାରା ସେଲିବ୍ରେଟି ଓ ଆଇଟମ୍‌ ନୃତ୍ୟ ପରିବେଷଣ କରୁଥିବା କଳାକାରଙ୍କୁ ଶକ୍ତ ଧକ୍କା ଲାଗିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। 

ଖଣ୍ଡଗିରି ମେଳାରେ ଯାତ୍ରାକୁ ନେଇ ଆଜି ସୋମବାର ପୁଲିସ ଓ ଯାତ୍ରାକମିଟିର ସଭାପତି-ସଂପାଦକଙ୍କ ବୈଠକରେ ଚର୍ଚ୍ଚା ହୋଇଛି ଯେ, ଚଳିତ ଥର ୬ଟି ମଂଚରେ ୧୨ଟି ଦଳ ଯାତ୍ରା ପରିବେଷଣ କରିବେ। ଯାତ୍ରାରେ ସ୍ବଚ୍ଛତା ଓ ସୁରକ୍ଷାକୁ ଗୁରୁତ୍ବ ଦିଆଯିବ। ସେଲିବ୍ରେଟିଂ ବିକୃତ ବେଶପୋଷାକ ସହିତ ମଞ୍ଚ ଉପରକୁ ଚଢ଼ିପାରିବେ ନାହିଁ। ସେହିପରି ଆଇଟମ୍‌ ନୃତ୍ୟ ପରିବେଷଣ ଉପରେ ସଂପୂର୍ଣ୍ଣ ରୋକ ଲାଗିବ। ଏହା ଦ୍ବାରା ନାଟକର ଗୁରୁତ୍ବ ବଢ଼ିବ। ନାଟକକୁ ଭଲ ପାଉଥିବା ଲୋକ ଯାତ୍ରା ଦେଖିବାକୁ ଆସିପାରିବେ। ଯାତ୍ରାସ୍ଥଳକୁ ଅନେକ ଲୋକ ପରିବାର ସହିତ ଯିବାକୁ ଚାହିଁଥାନ୍ତି। କିନ୍ତୁ ଅଶ୍ଲୀଳ ନୃତ୍ୟ ପରିବେଷଣ କରାଯିବା ଦ୍ବାରା ସେମାନଙ୍କୁ କଷ୍ଟ ଲାଗିଥାଏ। 

ଖଣ୍ଡଗିରି ମେଳା ଆସନ୍ତା ଫେବ୍ରୁଆରି ୬ରୁ ୧୭ ତାରିଖ ଯାଏଁ ଆୟୋଜନ ହେବ। ଦିନ ପାଖେଇ ଆସୁଥିବାରୁ ନୂଆନୂଆ କାହାଣୀ, ଦମ୍‌ଦାର ସଂଳାପକୁ ନେଇ ପ୍ରସ୍ତୁତ ହୋଇଥିବା ୧୨ ଯାତ୍ରାଦଳଙ୍କୁ ବଇନା ଦେଇ ସାରିଲେଣି। ଯାତ୍ରା ସହ ଯୋଡ଼ି ହୋଇଯାଇଥିବା ଅଶ୍ଳୀଳ ନୃତ୍ୟକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ହେଉଥିବା ବେଳେ ଖଣ୍ଡଗିରିର ପବିତ୍ର ଭୂମିରେ ଏଥର କୌଣସି ଅଶ୍ଳିଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଯୋଜନା ଚାଲିଥିଲା। ଚଳିତ ଥର ପୁରୁଣା ଦଳ ସହ ୩ଟି ନୂଆ ପାର୍ଟି ସାମିଲ ହେବାକୁ ଥିବାରୁ ନାଟକ ପୂର୍ବବର୍ଷ ଅପେକ୍ଷା ଅଧିକ ରୋମାଞ୍ଚକ ହେବ ବୋଲି ଆୟୋଜନ କମିଟି ଆଶା ରଖିଛନ୍ତି।

ଆଜିର ଏହି ବୈଠକ ପରେ ଖଣ୍ଡଗିରି ଯାତ୍ରା ମେଳାରେ ନିଶା ମହାରଣା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ ନୃତ୍ୟ ପରିବେଷଣ କରିପାରିବେ ନାହିଁ ବୋଲି ଆଶା କରାଯାଉଛି। ସେହିପରି ବାହାର ଆଇଟମ ଡ୍ୟାନ୍ସରଙ୍କୁ ମଧ୍ୟ ଖଣ୍ଡଗିରି ମନା ହୋଇଛି।
ଯାତ୍ରା ଯାଜ୍ଞସେନୀ, ଯାତ୍ରା ବିଶ୍ବଦରବାର ଓ ଅପେରା ପୃଥ୍ବୀରାଜ ଏଥର ପ୍ରଥମ ଥର ପାଇଁ ଖଣ୍ଡଗିରିରେ ନିଜର ଭାଗ୍ୟ ପରୀକ୍ଷା କରିବେ। ପ୍ରଥମ ପର୍ଯ୍ୟାୟରେ ସୂର୍ଯ୍ୟମନ୍ଦିର, ଦୁର୍ଗା ମନ୍ଦିର, ଅପେରା ପୃଥ୍ବୀରାଜ, ଶିବାନୀ ଗଣନାଟ୍ୟ, ଯାତ୍ରା ବିଶ୍ବଦରବାର, ଯାତ୍ରା ଯାଜ୍ଞସେନୀ ଆସିବେ। ଦ୍ବିତୀୟ ପର୍ଯ୍ୟାୟରେ କୋଣାର୍କ, ସ୍ବର୍ଣ୍ଣମହଲ, ତୁଳସୀ, ସିଂହବାହିନୀ, ସ୍ବପ୍ନମହଲ, ରଙ୍ଗମହଲ ସାମିଲ ହେବେ। କେଉଁ ପାର୍ଟି କେଉଁ ବହି ନେଇ ଆସିବେ ତାହା ଗତ ଜୁନ୍ ମାସରୁ ଆଖଡ଼ାଘରୁ ଚୂଡ଼ାନ୍ତ ହୋଇସାରିଛି।

ad-week
Leave A Reply

Your email address will not be published.