ମାଲକାନଗିରି,୧୪|୧ : ମାଲକାନଗିରି ଜିଲ୍ଲାରେ କାମରେ ଆସୁନି ନରେଗା ଆଇନ ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନ ଦ୍ଵାରା କାର୍ଯ୍ୟ କରାଇବା ଏକ ପ୍ରକାର ପ୍ରଥା ସ୍ୱରୂପ ହୋଇଯାଇଥିବା ବେଳେ ଏନେଇ ପୂର୍ବରୁ ବିଭିନ୍ନ ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଛି। ଏହା ସତ୍ବେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ବର୍ତ୍ତମାନ ମନରେଗା କାର୍ଯ୍ୟରେ ମେସିନ ଲାଗିବା ବନ୍ଦ ହେବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ହୋଇଥିବା ବେଳେ ଏହା କିନ୍ତୁ ନିଜର ମୂଳ ଲକ୍ଷରୁ ଓହରି ମେସିନ ମାଲିକ ମାନଙ୍କୁ ରୋଜଗାର ଯୋଗଉଥିବା ଅଭିଯୋଗ ହୋଇଛି। କିଛି ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୨ ଗ୍ରାମରୁ। ସୂଚନା ଅନୁଯାୟୀ ଏହି ଗ୍ରାମରୁ ଫାର୍ମ ରାସ୍ତା ଯାଏଁ ମାନରେଗା ଯୋଜନା ମାଧ୍ୟମରେ ଏକ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀ ହୋଇଥିବା ବେଳେ ଏହି ରାସ୍ତା କାମକୁ ଶ୍ରମିକ ମାନେ କରିବାର ନିୟମ ରହିଛି। ଯାହା ଫଳରେ ଅଞ୍ଚଳର ଶ୍ରମିକ ମାନେ କାର୍ଯ୍ୟ କରି ରୋଜଗାରକ୍ଷମ ହୋଇ ପାରିବେ। କିନ୍ତୁ ଏହି ନିୟମକୁ ଫୁ କରି ଏହି ରାସ୍ତା କାମକୁ ମେସିନ ଦ୍ଵାରା କରାଯାଉଥିବା ଅଭିଯୋଗ ହୋଇଛି। ଅନ୍ୟ ଏକ ସ୍ଥାନରୁ ମେସିନ ଦ୍ଵାରା ମାଟି ଖୋଳି ଟ୍ରାକ୍ଟର ସାହାଯ୍ୟ ଉକ୍ତ ମାଟିକୁ ଆଣି ରାସ୍ତା ହେଉଥିବା ସ୍ଥାନରେ ପକାଇ ରାସ୍ତା ନିର୍ମାଣ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଯୋଜନାଟି ସମ୍ପୂର୍ଣ ରୂପେ ନିଜର ମୂଳ ଲକ୍ଷରୁ ପଥ ଭ୍ରଷ୍ଟ ହୋଇଥିବା ଲୋକେ ପ୍ରକାଶ କରିଛନ୍ତି। ତେବେ ଏନେଇ ଆମେ ସ୍ଥାନୀୟ କମାରପାଲି ଜିଆରଏସ ମନୋଜ ଦୁରୁଆଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ବର୍ତ୍ତମାନ ସେ ଛୁଟିରେ ଥିଲେ। ତାଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟ ହୋଇଥାଇ ପାରେ। ତେବେ ଆସନ୍ତା କାଲି ସେ ନିଜେ ଉକ୍ତ କାର୍ଯ୍ୟ ସ୍ଥଳକୁ ଯାଇ ଏହାର ତଦନତ କରିବେ।
