୫ ଦିନ ପାଇଁ ଶୀତରେ ଥରିବ ଟୁଇନ୍ ସିଟି: ତାପମାତ୍ରା ୧୧ରୁ ୧୩ ଡିଗ୍ରି ହେବା ସମ୍ଭାବନା

add-all

ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଟୁଇନ୍ ସିଟି କଟକ ଏବଂ ଭୁବନେଶ୍ୱରର ରାତିର ସର୍ବନିମ୍ନ ତାପମାତ୍ରା ୧୧ ରୁ ୧୩ ଡିଗ୍ରି ସେଲସିୟସ ମଧ୍ୟରେ ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ପ୍ରମୁଖ ସହର ଭୁବନେଶ୍ୱର ଏବଂ କଟକର ରାତିର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୨.୩ ଡିଗ୍ରି ଏବଂ ୧୨.୪ ଡିଗ୍ରିକୁ ଖସି ଆସିଛି। ଆସନ୍ତା କିଛି ଦିନ ଧରି ଏଭଳି ସ୍ଥିତି ଦୁଇ ସହରରେ ଜାରି ରହିବ ବୋଲି ଆଶା କରାଯାଉଛି।
କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ରାତିର ସର୍ବନିମ୍ନ ତାପମାତ୍ରା ୬ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀ ଏବଂ ଡାରିଙ୍ଗବାଡିର ରାତିର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୮.୫ ଡିଗ୍ରି ସେଲସିୟସ୍ ଏବଂ ୯ ଡିଗ୍ରି ସେଲସିୟସ୍ ରହିଛି।
କୋରାପୁଟରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଶନିବାର ସକାଳେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା ୫୦ ମିଟରରୁ କମ୍ ରହିଥିବା ଜଣାପଡ଼ିଛି। ସେହିପରି ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଅପରପକ୍ଷରେ ରାଉରକେଲା ଏବଂ ଭବାନୀପାଟଣାରେ ମଧ୍ୟମ କୁହୁଡି ଦୃଶ୍ୟମାନ ହୋଇଛି। ହୀରାକୁଦ ଏବଂ ଗୋପାଳପୁର ସାଧାରଣ କୁହୁଡ଼ି ଦେଖିବାକୁ ମିଳିଛି।
କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ ଏବଂ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଅନୁଭୁତ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଜାନୁୟାରି ୨୦ ସକାଳ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼, କେନ୍ଦୁଝର ଏବଂ ଝାରସୁଗୁଡାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.