ଚିକିଟୀ ମହାବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ପାଳିତ

add-all

ଚିକିଟୀ : ସ୍ଥାନୀୟ ଚିକିଟୀ ମହାବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ଫେବୃଆରୀ ୧ ତାରିଖ ଦିନ ମହାବିଦ୍ୟାଳୟ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଅଧ୍ୟକ୍ଷ ଡ. ଭବାନୀ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିବା ସଭାରେ ସ୍ଥାନୀୟ ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ନୀଳମାଧବ ପାଢ଼ୀ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ। ସାଂସ୍କୃତିକ ପରିଷଦର ଉପଦେଷ୍ଟା ଡ. ସଞ୍ଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ ଏବଂ ଅଧ୍ୟାପକ ଆଶୁତୋଷ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଆବାହକ ଡ. ସନ୍ତୋଷ କୁମାର ବକ୍ସି ଓ ସନାତନ ଗୌଡ଼ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ବୃଦ୍ଧି କରିବା ସହ ଭବିଷ୍ୟତରେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରେରିତ କରିଥିଲେ | ଅଧ୍ୟକ୍ଷ ନିଜ ବକ୍ତବ୍ୟରେ ମହାବିଦ୍ୟାଳୟର ପ୍ରତିଷ୍ଠା, ଅଭିବୃଦ୍ଧି ଓ ଭିତ୍ତିଭୂମି ଉପରେ ଆଲୋକପାତ କରିଥିବା ବେଳେ ସମ୍ମାନୀତ ଅତିଥି ମହାବିଦ୍ୟାଳୟର ଗୌରବମୟ ଇତିହାସ ଓ କ୍ରମବିକାଶ ସମ୍ବନ୍ଧରେ କହିଥିଲେ । ମୁଖ୍ୟଅତିଥି ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ସମସ୍ତ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ଅଦ୍ଭୂତପୂର୍ବ ପ୍ରଦର୍ଶନ ହେତୁ ପ୍ରଶଂସା କରିବା ସହ ଉଦ୍ୟମ ଓ ପରିଶ୍ରମ ଦ୍ବାରା ସବୁ କିଛି ପ୍ରାପ୍ତ କରିହେବ ବୋଲି ମତବ୍ୟକ୍ତ କରିଥିଲେ । ସାଂସ୍କୃତିକ ପରିଷଦ ଦ୍ଵାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତମ ପ୍ରଦଶନୀ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରାବଣୀ ବେହେରା ଓ ଦେବୀଶ୍ରୀ ସାହୁ ଏବଂ ମହାବିଦ୍ୟାଳୟର ଗାୟତ୍ରୀ ବେହେରା ସାହିତ୍ୟିକ ଓ ସାଂସ୍କୃତିକ ଚମ୍ପିୟନ ଘୋଷିତ ହୋଇଥିଲେ । ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀ ଆରତୀ ସାହୁ ଓ ରାଜେଶ୍ଵରୀ ଚୌଧୁରୀଙ୍କୁ ଚଳିତ ବର୍ଷର ଷ୍ଟୁଡେଣ୍ଟ ଅଫ୍ ଦ ଇୟର ଭାବେ ପୁରସ୍କୃତ କରାଯାଇଥିଲା।ସଭାକାର୍ଯ୍ୟ ସମାପ୍ତ ହେବା ପରେ ନାଟ୍ୟ ସଂସଦ ଉପସଭାପତି ସୁନୀଲ କୁମାର ପାଢ଼ୀ ଓ ଡ. ରାମ ଶଙ୍କର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ମାନେ ନୃତ୍ୟ, ଗୀତ ସହ ‘ଅନ୍ଧ ଗଳିର ପଥିକ’ ଶୀର୍ଷକ ଏକ ସାମାଜିକ ନାଟକ ପରିବେଷଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇଥିଲା ।

ad-week
Leave A Reply

Your email address will not be published.