ଗାଁ ରେ ସଶକ୍ତ ହେବ କ୍ରୀଡା : ଗଞ୍ଜାମ ଜିଲାରେ ୨୨ଟି ବ୍ଲକରେ ହେବ ବ୍ଲକସ୍ତରୀୟ ଷ୍ଟାଡିୟମ, ଜାଗା ଚିହ୍ନଟ ପାଇଁ ନିର୍ଦ୍ଦେଶ
ଛତ୍ରପୁର : ରାଜ୍ୟରେ ସମସ୍ତ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବାନେଇ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ଏନେଇ ଆଜି ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ କ୍ରୀଡା ସଚ୍ଚିବ ଭିସି ମାଧ୍ୟମରେ ଯୋଡିହୋଇ ଗଞ୍ଜାମ ଜିଲାରେ ଥିବା ୨୨ଟି ବ୍ଲକ ପାଇଁ ୨୨ ଟି ଜାଗା ଚିହ୍ନଟ କରିବାକୁ ଗଞ୍ଜାମ ଜିଲାପାଳଙ୍କୁ କହିଛନ୍ତି । ପ୍ରତ୍ୟେକ ବ୍ଲକସ୍ତରୀୟ ଷ୍ଟାଡିୟମ ପାଇଁ ୧୦ ରୁ ୧୫ ଏକର ଜମି ଚିହ୍ନଟ କରିବାକୁ କୁହାଯାଇଛି । ପ୍ରତି ଷ୍ଟାଡିୟମ ପାଇଁ ଆନୁମାନିକ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଗାଁ ରେ ସଶକ୍ତ ହେବ କ୍ରୀଡା, ତୃଣମୂଳ ସ୍ତରରେ ଗ୍ରାମୀଣ ସ୍ତରରେ କ୍ରୀଡା ଭିତିଭୂମି ସୃଷ୍ଟି କରିବା , ଆନ୍ତର୍ଜାତିକସ୍ତରୀୟ କ୍ରୀଡାବିତ ସୃଷ୍ଟି କରିବା ,ତୃଣମୂଳସ୍ତରରେ ଅଧିକ କ୍ରୀଡା ପ୍ରତିଯୋଗିତାମାନ ଆୟୋଜନ କରିପାରିବା ଯାହାଫଲରେ ସୃଷ୍ଟି ହେବେ ନୁଆଁ କ୍ରୀଡାବିତ । ଏଥିରେ ଫୁଟବୁଲ/କ୍ରିକେଟ ପଡିଆ, ଖୋ ଖୋ ,କବାଡି କୋର୍ଟ, ଜମ୍ପ ଫିଲ୍ଡସହ ଆଥଲେଟିକ ଟ୍ରାକ, ଇଣ୍ଡୋର ହଲ ନିର୍ମାଣ, ଟେବୁଲ ଟେନିସ ଆଦି ଖେଳର ସୁବିଧା ରହିବ । ତୁରନ୍ତ ପ୍ରତି ବ୍ଲକରେ ଆବଶ୍ୟକୀୟ ଜାଗା ଚିହ୍ନଟ କରି ରିର୍ପୋଟ ପ୍ରଦାନ କରିବାକୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ କୁହାଯାଇଛି । ଏହି ଭିସି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସିତାଂଶୁ କୁମାର ଭୋଇ,ଜିଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
