
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ରଙ୍କୁ ଭେଟି, ଜିଲ୍ଲା ଦୌରା ଜଜ ଅଦାଲତ ପରିସରରେ ଏକ ଏ.ଟି.ଏମ ସୁବିଧା ଯୋଗାଇଦେବା ପାଇଁ ଦାବି କରିଛନ୍ତି। ଦାବି ପତ୍ର ଅନୁସାରେ ଅଦାଲତ ପରିସରରେ କାର୍ଯ୍ୟ ଦିବସରେ କୋର୍ଟ କର୍ମଚାରୀଙ୍କ ସମେତ, ପୋଲିସ, ଆଇନଜୀବୀ, ମୁଦୁଲା ଏବଂ ସାକ୍ଷ୍ୟ ମାନଙ୍କ ଭିଡ ଜମିଥାଏ। ସହର ଠାରୁ ଅଦାଲତ ବେଶ ଦୂରରେ ଥିବାରୁ ଏ.ଟି.ଏମ ର ଆବଶ୍ୟକତା ରହିଛି। ତେଣୁ ଯଥା ଶୀଘ୍ର ଏ. ଟି .ଏମ୍ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି। ସେହିପରି ଜିଲ୍ଳାର ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟ ପରିସରରେ ଆଇନଜୀବି ମାନଙ୍କ କାର୍ଯ୍ୟ ପାଇଁ ବାର ରୁମ୍ ସୁବିଧା ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଛି। ଏହି ଦାବି ପତ୍ର ପ୍ରଦାନ ସମୟରେ ସଂଘର ସମ୍ପାଦକ ତପନ ସିଂ, ଶଶିଗିରି ରାଓ, ସନ୍ତୋଷ ମିଶ୍ର, ଦେବୀ ପ୍ରସାଦ ସିଂ, ଶ୍ୟାମ ପ୍ରସାଦ ମାଝୀ, ଗଜେନ୍ଦ୍ର ଦାସ, ଅଶୋକ ନାୟକ, ସୁଦାମ ସରାବୁ ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳ ଡ ମହାପାତ୍ର ଦାବି ପତ୍ର ଗ୍ରହଣ କରି ଏ.ଟି.ଏମ ସ୍ଥାପନ ଓ ତହସିଲ ପରିସରରେ ବାର ରୁମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ଏଥି ପୂର୍ବରୁ ସହରରୁ ଅଦାଲତ ପର୍ଯ୍ୟନ୍ତ ବସ୍ ଯୋଗାଇବା ଏବଂ ଅଦାଲତ ସମ୍ମୁଖରେ ବାର କାର୍ଯ୍ୟାଳୟ ନିର୍ମାଣ ପାଇଁ ଖାଲି ସ୍ଥଳ ଯୋଗାଇବା ସଂକ୍ରାନ୍ତରେ ଦାବି ଗୁଡ଼ିକୁ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ସମ୍ପାଦକ ଶ୍ରୀ ସିଂ ସୂଚନା ପ୍ରଦାନ କରିଛନ୍ତି।