
ହିଞ୍ଜିଳିକାଟୁ : ୧୪ ତାରିଖ ଅପରାହ୍ନରେ ଗୋଳନ୍ଥରା ଥାନା କନିଷିହାଟ ଗ୍ରାମର ରବି ଚୌଧୁରୀ ଓ ତାଙ୍କ ସ୍ତ୍ରୀ ରଞ୍ଜିତା ଚୌଧୁରୀ ମୋଟର ସାଇକେଲ ଯୋଗେ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ। ହିଞ୍ଜିଳି ଥାନା ପୋଚିଲିମା- ସୋମପୁର ମଧ୍ୟବର୍ତ୍ତୀ ସନ୍ତୋଷୀ ମା’ମନ୍ଦିର ନିକଟରେ ହେଲମେଟ ଓ ମାସ୍କ ପରିଧାନ କରିଥିବା ୨ ଜଣ ଦୁବୃର୍ତ୍ତ ମୋଟର ସାଇକେଲ ଯୋଗେ ଆସି ଦମ୍ପତିଙ୍କୁ ଆସିକା ଯିବା ପାଇଁ ରାସ୍ତା ପଚାରିଥିଲେ। ପରେ ମହିଳାଙ୍କ ବେକରୁ ପ୍ରାୟ ଅଢେଇ ଭରି ଓଜନର ଏକ ସୁନା ଚେନ ଓ ଗୋଟିଏ ହାର ଝାମ୍ପିନେଇ କ୍ଷିପ୍ର ଗତିରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣା ନେଇ ରବି ଚୌଧୁରୀ ସୋମବାର ରାତିରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୯୧/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ଲୁଟ୍ ନିକଟସ୍ଥ ଅଞ୍ଚଳର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରି ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସମେତ ଏକ ସ୍ଵତନ୍ତ୍ର ଟିମ୍ ବ୍ରହ୍ମପୁର ଅଞ୍ଚଳରେ ଅର୍ତକିତ ଚଢାଉ କରିଥିଲେ। ଚଢାଉ ବେଳେ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟି ନେଇଥିବା ଏକ ସୁନା ଚେନ ଜବତ କରିଛି। ଗିରଫ ମାନେ ହେଲେ ପାତ୍ରପୁର ଧୋବା ସାହିର ମୁରଲି ସେଠି (୨୬), ବଜାର ସାହିର ରଞ୍ଜନ ସାହୁ (୨୨) ଓ ଲୁଟ୍ ସୁନା କିଣିଥିବା ସୁନା ବ୍ୟବସାୟୀ ଜରଡା ଥାନା ବାରତଳ ଛକର ଗୋବର୍ଦ୍ଧନ ନାୟକ (୨୯) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୧୧୯/୨୫ ରେ ଏକ ମାମଲା ରୁଜୁ କରି ଗିରଫ ୩ ଯୁବକଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ। ପ୍ରକାଶ ଥାଉକି, ୧୪ ତାରିଖ ଅପରାହ୍ନରେ ଗୋଳନ୍ଥରା ଥାନା କନିଷି ହାଟ ଗ୍ରାମର ରବି ଓ ତାଙ୍କ ସ୍ତ୍ରୀ ରଞ୍ଜିତା ବାଇକ୍ ଯୋଗେ ଏଣେ ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟରେ ହିଞ୍ଜିଳିକାଟୁ ଆସୁଥିବା ବେଳେ ସନ୍ତୋଷୀ ମା’ମନ୍ଦିର ନିକଟରେ ୨ ଯୁବକ ମୋଟର ସାଇକେଲରେ ଆସି ରଞ୍ଜିତାଙ୍କ ବେକରୁ ପ୍ରାୟ ସାଢେ ୨ ଭରି ଓଜନର ଏକ ସୁନା ଚେନ ଓ ହାର ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ନେଇ ରବି ଚୌଧୁରୀ ମଙ୍ଗଳବାର ରାତିରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।