ହିଞ୍ଜିଳିକାଟୁ, ୨୬।୨: ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମରେ ଥିବା ଶୈବପୀଠ ଗୁଡିକରେ ବୁଧବାର ପ୍ରାତଃରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଅସମ୍ଭବ ଭିଡ ଲାଗି ରହିଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ଆଙ୍କୋରଡାର କପିଳେଶ୍ୱର, ହିଞ୍ଜିଳିର ସପ୍ନେଶ୍ୱର, ନୂଆଁଗଡ଼ର ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ମନ୍ଦିର ପରିସରସ୍ଥ ପଶ୍ଚିମାଭିମୂଖୀ କାଶିବିଶ୍ୱନାଥ, ହିଞ୍ଜିଳିକାଟୁ ବ୍ଳକ ନୂଆଁବୁରୁପଡ଼ା ଶ୍ୟାମଳାଇ ସ୍ଥିତ ମୁଦୁକେଶ୍ୱର, ସ୍ଥାନୀୟ ଥାନା ଅନ୍ତରିଗାଁ ସ୍ଥିତ ଗୁପ୍ତେଶ୍ୱର, ଆଡପଡା ଇଶାଣେଶ୍ୱର, ବେଲଗାଁ ବେଲେଶ୍ୱର, ପୋଚିଲିମା ବାଲୁଙ୍କେଶ୍ୱର, ଦୁର୍ବନ୍ଧ ସ୍ୱପ୍ନେଶ୍ୱର, କଣ୍ଟେଇକୋଳି ରାମେଶ୍ୱର, ବଡଖଣ୍ଡି ଚନ୍ଦ୍ରକଳ୍ପେଶ୍ୱର, ମକରଝୋଳ ରାମେଶ୍ୱର, ଗୋଦରାପଲ୍ଲୀ ଗୋକର୍ଣ୍ଣେଶ୍ୱର, ଶାସନଆମ୍ବଗାଁ ରାମେଶ୍ବର ସମେତ ନିକଟବର୍ତ୍ତୀ ଅଞ୍ଚଳର ବହୁ ଶୈବପୀଠ ଗୁଡିକରେ ଜାଗରଯାତ୍ରା ପାଇଁ ପ୍ରାତଃହରୁ ମାର୍ଜଣା, ଚଇପତଲାଗି, ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳ ଆଳତି ସହ ସମସ୍ତ ଦେବନୀତି ସମାପନ ପରେ ଭକ୍ତ ମାନଙ୍କୁ ଦେବ ଦେବ ମହାଦେବଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ମନ୍ଦିର ଭିତରକୁ ପ୍ରବେଶ ସକାଶେ ଅନୁମତି ଦିଆଯାଇଥିଲା । ସମସ୍ତ ଶୈବପୀଠ ଗୁଡିକୁ ରଙ୍ଗ ବେରଙ୍ଗ ବାନା ସାଙ୍ଗକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା । ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଥିବା ଯୋଗୁଁ ମହାଦେବଙ୍କ ଦର୍ଶନ ସକାଶେ ମହିଳା ଓ ପୁୂରୁଷ ଭକ୍ତ ମାନଙ୍କୁ ଲମ୍ବା ଲାଇନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିବାର ଦେଖିବାକୁ ମିଳିଥିଲା । ସନ୍ଧ୍ୟା ସମୟରେ ଭକ୍ତ ମାନେ ଶୈବପୀଠ ପରିସରରେ ଦୀପଦାନ ସହ ଆସ୍ଥାନ ଜମାଇଥିଲେ । ଭକ୍ତଙ୍କ ହୁଳହୁଳି, ବାଦ୍ୟବାଜଣା ଧ୍ୱନିରେ ମନ୍ଦର ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ସନ୍ଧ୍ୟା ୬ଟା ୧୫ମିରେ ପ୍ରଥମ ପ୍ରହର, ରାତି ୯ଟା ୧୫ରେ ଦ୍ୱିତୀୟ ପ୍ରହର ପରେ ରାତ୍ର ପ୍ରାୟ ସାଢେ ୧୧ ଟାରେ ହରଗୌରୀଙ୍କୁ ୩ ବେଢା ମନ୍ଦିର ପରିଭ୍ରମଣ ପରେ ମହାଦୀପକୁ ମନ୍ଦିର ଚୂଡ଼ାରେ ସ୍ଥାପନ କରାଯାଇଥିଲା । ଭକ୍ତଙ୍କ ଜାଗର ପାଳନ ଏବଂ ମନୋରଞ୍ଜନ ସକାଶେ ବିଭିନ୍ନ ଶୈବପୀଠ ନିକଟରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ସକାଶେ ମନ୍ଦିର ପ୍ରଶାସନ, ସ୍ୱେଛାସେବୀ ସଗଠନ ଏବଂ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ତତ୍ତ୍ୱାବଧାନରେ ସାଦା ପୋଷାକଧାରୀ ପୁଲିସ କର୍ମଚାରୀ ମାନେ ଶୈବପୀଠ ନିକଟରେ ମୃତୟନ ରହିଥିବା ଦେଖିବାକୁ ମିଳିଥିଲା । ଅନୁରୂପ ଭାବେ ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳ ଦାରୁଭଦ୍ରା,ଦୁର୍ବନ୍ଧ, ଗୋଦରାପଲ୍ଲୀ, ସିକିରି, ରାଳବ, ନନ୍ଦିକ, ଧୋବାଡ଼ି, ଚାନ୍ଦୁଲି ପ୍ରଭୃତି ଶୈବପୀଠ ଗୁଡିକରେ ମହା ଆଡ଼ମ୍ବର ସହକାରେ ଜାଗରଯାତ୍ରା ପାଳନ କରାଯାଇଛି ।
