ଆଇପିଏଲରେ ତମାଖୁ ଓ ମାଦକଦ୍ରବ୍ୟ ବିଜ୍ଞାପନ ନିଷେଧ

youtube

ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ କୌଣସି ପ୍ରକାର ତମାଖୁ ଏବଂ ମାଦକଦ୍ରବ୍ୟର ବିଜ୍ଞାପନ ପ୍ରସାରିତ ହେବ ନାହିଁ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲକୁ ନିର୍ଦେଶ ଦିଆଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବାସ୍ଥ୍ୟ ସେବା ମହାନିର୍ଦେଶକ ଅତୁଲ ଗୋଏଲ ଏ ସଂକ୍ରାନ୍ତରେ ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମାଲଙ୍କୁ ଚିଠି ଲେଖି ନିର୍ଦେଶନାମା ଜାରି କରିଛନ୍ତି। ଅତୁଲ ଲେଖିଛନ୍ତି, କ୍ରିକେଟ ଖେଳାଳିମାନେ ଭାରତୀୟ ଯୁବଗୋଷ୍ଠୀଙ୍କ ପାଇଁ ରୋଲ ମଡେଲ। ସେମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ପ୍ରକାର ତମାଖୁ ଏବଂ ମାଦକଦ୍ରବ୍ୟର ବିଜ୍ଞାପନ ସହିତ ସଂଶ୍ଳିଷ୍ଟ ହେବା ଅନୁଚିତ। ଆଇପିଏଲ କଠୋର ଭାବେ ଏହି ନିର୍ଦେଶକୁ ପାଳନ କରିବା ଜରୁରୀ। ଆଇପିଏଲ ସମୟରେ ଅଧିକାଂଶ ଭାରତୀୟ ଟେଲିଭିଜନରେ ଖେଳକୁ ଉପଭୋଗ କରିଥାଆନ୍ତି। ଏଥିପାଇଁ ବିଜ୍ଞାପନଦାତାମାନେ ବହୁ ସଂଖ୍ୟାରେ ବିଜ୍ଞାପନ ପ୍ରସାରଣ କରିବାକୁ ଇଚ୍ଛା କରନ୍ତି। ଭାରତରେ ହୃଦରୋଗ, କର୍କଟ, ଫୁସଫୁସ ଜନିତ ରୋଗ, ମଧୁମେହ, ଉଚ୍ଚ ରକ୍ତଚାପ ଭଳି ଅଣସଂକ୍ରାମକ ରୋଗ ବହୁଳ ଭାବେ ଦେଖିବାକୁ ମିଳୁଛି। ଭାରତରେ ଯେତିକି ଲୋକ ପ୍ରାଣ ହରାଉଛନ୍ତି, ସେଥିରୁ ୭୦ ପ୍ରତିଶତ କେବଳ ଏସବୁ ରୋଗରେ ଜୀବନ ହାରୁଛନ୍ତି। ତମାଖୁ ଏବଂ ମାଦକଦ୍ରବ୍ୟ ଅଣସଂକ୍ରାମକ ରୋଗର ମୁଖ୍ୟ କାରଣ ବୋଲି ଅତୁଲ କହିଛନ୍ତି।

Leave A Reply

Your email address will not be published.