କର୍ଣ୍ଣାଟକରେ ମୁସଲିମ୍ କନ୍‌ଟ୍ରାକ୍ଟରଙ୍କୁ ୪% ସଂରକ୍ଷଣ, ବିଜେପି କହିଲା- ରାହୁଲ ଗାନ୍ଧୀଙ୍କ ମାନସିକତାର ପ୍ରତିଫଳନ

add-all

ନୂଆଦିଲ୍ଲୀ: କର୍ଣ୍ଣାଟକ ଟ୍ରାନ୍ସପରେନ୍ସି ଇନ୍ ପବ୍ଲିକ୍ ପ୍ରକ୍ୟୁରମେଣ୍ଟ (KTPP) ଆକ୍ଟରେ ସଂଶୋଧନକୁ କର୍ଣ୍ଣାଟକ କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହି ସଂଶୋଧନ ପରେ ଠିକା କାମରେ ମୁସଲ୍‌ମାନ ଠିକାଦାରଙ୍କୁ ଚାରି ପ୍ରତିଶତ ସଂରକ୍ଷଣ ଦିଆଯିବ । କ୍ୟାବିନେଟ୍ ଅନୁମୋଦନ ମିଳିବା ପରେ ଚଳିତ ବିଧାନସଭା ଅଧିବେଶନ ସଂଶୋଧିତ ବିଧେୟକ ଆଗତ କରାଯାଇପାରେ । ଏହା ପୂର୍ବରୁ ମାର୍ଚ୍ଚରେ ସିଦ୍ଦରମୈୟା କହିଥିଲେ ଯେ ସରକାରୀ କାର୍ଯ୍ୟରେ ୪ ପ୍ରତିଶତ ଠିକା ମୁସଲମାନଙ୍କ ପାଇଁ ସଂରକ୍ଷିତ ରଖାଯିବ ।

ମୁସଲିମ ଠିକାଦାରଙ୍କ ପାଇଁ ଟେଣ୍ଡରରେ ୪% ସଂରକ୍ଷଣ ପ୍ରଦାନକୁ ନେଇ ଏବେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । କଂଗ୍ରେସ “ତୁଷ୍ଟିକରଣ ରାଜନୀତି” କରୁଥିବା ବିଜେପି ଅଭିଯୋଗ ଆଣିଛି । ଏପରିକି ରାହୁଲ ଗାନ୍ଧୀ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ ପ୍ରଭାବିତ କରିଛନ୍ତି ବୋଲି ବିଜେପି କହିଛି ।

ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ ସାମ୍ୱାଦିକ ସମ୍ମିଳନୀ କରି କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, “କର୍ଣ୍ଣାଟକ ସରକାରଙ୍କ ମୁସଲମାନଙ୍କ ପାଇଁ ୪% ସଂରକ୍ଷଣ ପ୍ରସ୍ତାବ ରାହୁଲ ଗାନ୍ଧୀଙ୍କ ପୂର୍ଣ୍ଣ ପୃଷ୍ଠପୋଷକତାରେ ଗୃହୀତ ହୋଇଛି ।” ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ୍ କରି ପ୍ରସାଦ ଦର୍ଶାଇଥିଲେ ଯେ କର୍ଣ୍ଣାଟକ ସରକାରଙ୍କ ପଦକ୍ଷେପ “ରାହୁଲ ଗାନ୍ଧୀଙ୍କ ମାନସିକତା”କୁ ପ୍ରତିଫଳିତ କରୁଛି।

ଶନିବାର ସିଦ୍ଦରମୈୟା କ୍ୟାବିନେଟ୍ କର୍ଣ୍ଣାଟକ ଟ୍ରାନ୍ସପରେନ୍ସି ଇନ୍ ପବ୍ଲିକ୍ ପ୍ରକ୍ୟୁରମେଣ୍ଟ (KTPP) ଆଇନରେ ସଂଶୋଧନକୁ ମଞ୍ଜୁରି ଦେଇଛି । ଯେଉଁଥିରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡର ପାଇଁ ମୁସଲିମ୍ ଠିକାଦାରଙ୍କ ଲାଗି ୪ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ କରୁଛି । 

ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଏହି ପ୍ରସଙ୍ଗ କେବଳ କର୍ଣ୍ଣାଟକ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହାର “ଦେଶବ୍ୟାପୀ ପ୍ରଭାବ ରହିଛି ।ସ୍ୱାଧୀନତା ସଂଗ୍ରାମ ସମୟରେ, ପୃଥକ ବିଶ୍ୱବିଦ୍ୟାଳୟ, ପୃଥକ ନିର୍ବାଚନ ମଣ୍ଡଳୀ ଭଳି ଛୋଟ ଛୋଟ ପ୍ରସଙ୍ଗ ଶେଷରେ ସ୍ୱାଧୀନତା ସମୟରେ ଭାରତ ବିଭାଜନର କାରଣ ହୋଇଥିଲା ।”

ସେ ଆହୁରି କହିଛନ୍ତି, “ବିଜେପି ଏହାକୁ ବିରୋଧ କରିବ, ଭାରତୀୟ ସମ୍ବିଧାନ ଅନୁଯାୟୀ ଧର୍ମ ଆଧାରିତ ସଂରକ୍ଷଣ ଅନୁମତିପ୍ରାପ୍ତ ନୁହେଁ… ସରକାରୀ କନ୍‌ଟ୍ରାକ୍ଟ ସଂରକ୍ଷଣ ସମ୍ପୂର୍ଣ୍ଣ ଅସାମ୍ବିଧାନିକ । ଏହାକୁ ସାମାଜିକ ପଛୁଆ ଆଧାରରେ ଅନୁମତି ଦିଆଯାଇପାରିବ, କିନ୍ତୁ ଏହା ସିଧାସଳଖ ଏକ ଧାର୍ମିକ ସମ୍ପ୍ରଦାୟକୁ (ପ୍ରଦାନ କରିବା) ଅନୁମତିପ୍ରାପ୍ତ ନୁହେଁ। ” 

ସେହିପରି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା ମଧ୍ୟ ସିଦ୍ଦରମୈୟା ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଛନ୍ତି । ଏହାକୁ “ଧାର୍ମିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରୁଥିବା” ପଦକ୍ଷେପ ବୋଲି ସେ କହିଛନ୍ତି । ତେଜସ୍ବୀ ସୂର୍ଯ୍ୟ ଏକ୍ସରେ ଲେଖିଛନ୍ତି “ଏହି ସରକାର ଭୋଟ ବ୍ୟାଙ୍କ ରାଜନୀତି ପାଇଁ କ୍ଷମତା, ସାର୍ବଜନୀନ ସମ୍ବଳର ଅପବ୍ୟବହାର କରୁଛି ଏବଂ ଆମର ଅର୍ଥନୀତିକୁ ରାଜନୈତିକ ସୁଯୋଗର ଖେଳ ପଡ଼ିଆରେ ପରିଣତ କରୁଛି।”

ad-week
Leave A Reply

Your email address will not be published.