
ଭୁବନେଶ୍ୱର : ପୃଥିବୀର ସର୍ବଶ୍ରେଷ୍ଠ ବିଶ୍ଵ ବିଦ୍ୟାଳୟ ଭାବେ ଖ୍ୟାତି ଲାଭ କରିଥିବା ଆମ ଦେଶର ଅନ୍ୟତମ ସ୍ୱନାମଧନ୍ୟ ଇନ୍ଦିରା ଗାନ୍ଧୀ ମୁକ୍ତ ଜାତୀୟ ବିଶ୍ଵ ବିଦ୍ୟାଳୟ ବା ଇଗ୍ନୌ । ୧୯୮୫ ମସିହାରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ, ଅଦ୍ୟାବଧି ୩୩୩ ଟି ଶୈକ୍ଷିକ ପାଠ୍ୟକ୍ରମ ସହ ପୃଥିବୀର ସବୁଠାରୁ ବଡ଼ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଭାତ ହୋଇଛି । ତେବେ ଚଳିତ ୧୬ ମାର୍ଚ୍ଚ ୨୦୨୫ ତାରିଖ ରବିବାର ଦିନ ଆମ ରାଜ୍ୟରେ ଇଗ୍ନୌ ଅଧୀନସ୍ଥ ଦୁଇଟି ଆଞ୍ଚଳିକ କେନ୍ଦ୍ର ଯଥା ଭୁବନେଶ୍ଵର ଓ କୋରାପୁଟରେ ବି.ଇଡି. ପାଠ୍ୟକ୍ରମ ୨୦୨୫ ନାମଲେଖା ନିମନ୍ତେ ପ୍ରବେଶିକା ପରୀକ୍ଷା ହୋଇଥିଲା । ୩୫୦୦୦ ରୁ ଊର୍ଦ୍ଧ୍ବ ଆଶାୟୀ ଏହି ପ୍ରବେଶିକା ପରୀକ୍ଷା ନିମନ୍ତେ ନାମ ଲେଖାଇବା ପାଇଁ ଆବେଦନ କରିଥିବା ବେଳେ, ପ୍ରତ୍ୟେକ ଆଶାୟୀ ଫର୍ମ ଆବେଦନ ସମୟରେ ୧୦୦୦/- ଟଙ୍କା ଲେଖାଏଁ ପରୀକ୍ଷା ଫି’ ମଧ୍ୟ ଦାଖଲ କରିଥିଲେ । ପରୀକ୍ଷା ନିମନ୍ତେ ମୋବାଇଲ୍, ଇଲେକ୍ଟ୍ରୋନିକ ଘଣ୍ଟା ତଥା କାଲକୁଲେଟର୍ ସମେତ ସମସ୍ତ ପ୍ରକାରର ଅତ୍ୟାଧୁନିକ ବୈଦ୍ୟୁତିକ ଯନ୍ତ୍ର ବାରଣ ରହିଥିଲା । ଏହା ଛଡ଼ା ଆଶାୟୀ ପ୍ରାର୍ଥୀ ମାନେ ଓ.ଏମ୍.ଆର୍. ଉତ୍ତର ଖାତାରେ ସେମାନଙ୍କ ଉତ୍ତର ଲେଖି ସାରିବା ପରେ, ପରୀକ୍ଷା କେନ୍ଦ୍ରରୁ ବାହାରିବା ପୂର୍ବରୁ ସମସ୍ତଙ୍କ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ହିଁ ଦାଖଲ କରିବା ନିମନ୍ତେ ପୂର୍ବରୁ ନିର୍ଦ୍ଦେଶ ରହିଥିଲା । ତେବେ ଏହି ପ୍ରବେଶିକା ପରୀକ୍ଷା ଦେବା ନିମନ୍ତେ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ରାଜ୍ୟରୁ ମଧ୍ୟ ଅନେକ ଆଶାୟୀ ପ୍ରାର୍ଥୀ ଓଡ଼ିଶା ମୁହାଁ ହୋଇଥିବା ଦେଖିବାକୁ ମିଳିଥିଲା । ଏ ସମସ୍ତ ଆୟୋଜନ ମଧ୍ୟରେ ‘ବହୁ ଆଡ଼ମ୍ବରେ ଲଘୁ କ୍ରିୟା’ ହୋଇଥିବା ଦେଖିବାକୁ ମିଳିଛି, ଯେଉଁ ଘଟଣା ହଜାର ହଜାର ଆଶାୟୀଙ୍କୁ ହତୋତ୍ସାହିତ କରିଛି।
ମିଳିଥିବା ସୂଚନା ମୁତାବକ, ପ୍ରବେଶିକା ପରୀକ୍ଷାରେ ମାତ୍ର ଦିନଟିଏ ପରେ ଆଜି ଅର୍ଥାତ୍ ୧୭ ମାର୍ଚ୍ଚ ୨୦୨୫ ତାରିଖ ସୋମବାର ଦିନ ଏହି ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ମୋବାଇଲ୍ କୁ ମୋବାଇଲ୍ ଘୂରି ବୁଲୁଥିବାର ଦେଖିବାକୁ ମିଳିଛି। ପ୍ରତି ବର୍ଷ ଥରେ ମାତ୍ର ହେଉଥିବା ଏହି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ନିମନ୍ତେ ହଜାର ହଜାର ଆଶାୟୀ ଆବେଦନ ଏବଂ ଅହରହ ପରିଶ୍ରମ କରୁଥିବା ବେଳେ, ପରୀକ୍ଷା ପରିଚାଳନାଗତ ତ୍ରୁଟି କାରଣରୁ ବର୍ତ୍ତମାନ ସଂଶୟରେ, ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀଙ୍କ ଭାଗ୍ୟ ଏବଂ ଭବିଷ୍ୟତ । ଭାଇରାଲ୍ ହେଉଥିବା ଫୋଟୋଗୁଡିକୁ ନିରୀକ୍ଷଣ କରିଲେ, ଫୋଟୋ ପଛ ପାଖରେ ଆଂଶିକ ଦୃଷ୍ଟିଗୋଚର ହେଉଥିବା ଏନରୋଲମେଣ୍ଟ୍ ନଂ ୯୨୫୦୦୦୬୬୬୫ ଥିବା ଅନୁମାନ କରାଯାଉଛି ଯାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଏହି ପରିପ୍ରେକ୍ଷୀରେ, ବର୍ତ୍ତମାନ୍ ପରୀକ୍ଷା ଦେଇଥିବା ଆଶାୟୀଙ୍କ ମହଲରେ ପ୍ରଶ୍ନ ଉଠିଛି ଯେ, ଯଦି ଇଲେକ୍ଟ୍ରୋନିକ୍ସ ସରଞ୍ଜାମର ବାରଣ ଥିଲା, ତେବେ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ରର ଫୋଟୋ ଉତ୍ତୋଳନ କରାଗଲା କେମିତି? ଯେଉଁ ବ୍ୟକ୍ତି ବା ବ୍ୟକ୍ତିମାନେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇ ଯାଇଥିଲେ, ସେମାନେ ମୋବାଇଲ୍ ରେ କେବଳ ପ୍ରଶ୍ନପତ୍ରର ଫୋଟୋ ଉତ୍ତୋଳନ କରିଛନ୍ତି ନା ମୋବାଇଲ୍ ର ସାହାଯ୍ୟ ନେଇ ପରୀକ୍ଷା ଦେଇଛନ୍ତି? ଏତେ ସବୁ କାଣ୍ଡ ହେଉଥିବା ବେଳେ ପରୀକ୍ଷା କେନ୍ଦ୍ରର ପରିଚାଳକ ତଥା ଉକ୍ତ ହଲ୍ ରେ ଥିବା ନିରୀକ୍ଷକ ମାନେ କରୁଥିଲେ କ’ଣ? ଦୂର ଦୂରାନ୍ତରୁ ଶାରୀରିକ, ମାନସିକ ଏବଂ ଆର୍ଥିକ ଭାର ବହନ କରି ଅନେକ ପ୍ରସ୍ତୁତି, ଆଶା ତଥା ଆକାଂକ୍ଷା ନେଇ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ମାନଙ୍କ ସହ ଏଭଳି ଘଟଣା, କଟାକ୍ଷ ନୁହେଁ କି? ଏସବୁ ଠାରୁ ବଡ଼ କଥା ହେଲା ଓ.ଏମ୍.ଆର୍. ରେ ବହୁ ବିକଳ୍ପ ପ୍ରଶ୍ନର ଉତ୍ତର ସଂଗ୍ରହ କରାଯାଉଥିବା ସ୍ଥଳେ ପ୍ରତି ପରୀକ୍ଷାର୍ଥୀଙ୍କ ଠାରୁ ୧୦୦୦/- ଟଙ୍କା ଆଦାୟ କରାଯାଉଛି କିନ୍ତୁ ପ୍ରଶ୍ନପତ୍ର କାହିଁକି ଦିଆଯାଉ ନାହିଁ?
ଏଭଳି ଏକ ସଙ୍ଗୀନ ଘଟଣା ପରେ, ଦେଖିବାକୁ ଅପେକ୍ଷା ରହିଲା ଆଶାୟୀ ପ୍ରାର୍ଥୀ ମାନଙ୍କ ପ୍ରତି କିଭଳି ନ୍ୟାୟ ବିଧାନ କରିବେ ସରକାର ଏବଂ କର୍ତ୍ତବ୍ୟରେ ଅବହେଳା କରିଥିବା ସରକାରଙ୍କ ଦାୟିତ୍ବହୀନ କର୍ମଚାରୀ ।