ଭୁବନେଶ୍ୱର : ଏଣିକି ପାନୀୟ ଜଳ ଯୋଗାଣରେ ଅଵ୍ୟଵସ୍ଥା କଲେ ଠିକା କମ୍ପାନୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପଂଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ । ସେ କହିଛନ୍ତି ଯେ ପାନୀୟ ଜଳ କାମରେ ଠିକା କମ୍ପାନୀ ବିଳମ୍ବ କଲେ ହେବ ଏଫଆଇଆର ହେବ । ରାଜ୍ୟରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ପ୍ରକଳ୍ପ ଧିମା ଗତିରେ ଚାଲୁଥିବା କହି କେବେ ପ୍ରତି ଘରକୁ ପାଇପ ଯୋଗେ ପାଣି ପହଞ୍ଚିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମେଶ ବେହେରା ।
ଉତ୍ତରରେ ପାନୀୟଜଳ ସମସ୍ଯାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଧିମା ହେବାର କାରଣ କହି ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ । ଯେଉଁମାନେ ଚୁକ୍ତି ସ୍ଵାକ୍ଷର କରିଥିଲେ, ନୂଆ ସରକାର ଆସିବା ପରେ ଏହାର ସମୟ ସୀମା ପଳେଇଥିଲା । ଘଟଣା ଜାଣିବା ପରେ ସରକାର ଫାଇନ୍ କରିଛନ୍ତି । ଏବେ ୭ ଦିନ ଭିତରେ କମ୍ପାନି ମୁଖ୍ୟଙ୍କୁ ଡକା ହୋଇଛି । ଠିକ୍ ସମୟରେ କାମ ନକଲେ କମ୍ପାନିକୁ ବ୍ଲାକ୍ ଲିଷ୍ଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ବିଗତ ସରକାରରେ ପାଇପ୍ ଥିଲା, ପାଣି ନ ଥିଲା । ଏବେ ପ୍ରତି ଘରେ ଜଳ ନ ପହଞ୍ଚିଲେ କାମ ସମାପ୍ତ ହୋଇଛି ବୋଲି ଧରା ଯିବନି । ପାନୀୟ ପ୍ରକଳ୍ପ ଧିମେଇ ଥିବା ବିଭାଗ ଅବଗତ ଅଛି । ୨୦୨୫ ମାର୍ଚ୍ଚ ସୁଦ୍ଧା ୭୨ ପ୍ରତିଶତ ପ୍ରକଳ୍ପ ସରିବାର ଥିଲା, ୫୨ଟି ସରିଛି । ଜୁନ୍ ସୁଦ୍ଧା ୭୨ଟି ସାରିବାକୁ ଲକ୍ଷ୍ୟ ରଖିଛୁ । ୨୦୨୬ ସୁଦ୍ଧା ଆଉ ୪୦ଟି ପ୍ରକଳ୍ପ ସାରିବୁ । ପାହାଡ଼ିଆ ଅଞ୍ଚଳର ଲୋକ ଯେମିତି ପାଣି ପାଇବେ ସେ ନେଇ ବିଭାଗ କାମ କରୁଛି ।
