
ମାଲକାନଗିରି : ମାଲକାନଗିରି ଜିଲ୍ଲା ଟାଉନଥାନା ଅଧିନସ୍ଥ ଜୟପୁର ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ସିନ୍ଦ୍ରିମାଲ ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଜୟପୁର ଠାରୁ ମାଲକାନଗିରି ଅଭିମୁଖେ ଶବ ନେଇ ଆସିଥିବା ଏକ ଆମ୍ବୁଲାନ୍ସ ସହିତ ଜୟପୁର ଅଭିମୁଖେ ଯାଉଥିବା ଏକ ଟ୍ରକ ମଧ୍ୟରେ ଧକ୍କା ହୋଇଛି। ଯେଉଁଥିରେ ଆମ୍ବୁଲାନ୍ସ ଭିତରେ ଶବ ସହିତ ବସିଥିବା ଗୋଟିଏ ପରିବାରର ୩ ଜଣ ଏବଂ ଆମ୍ବୁଲାନ୍ସ ଡ଼୍ରାଇଭର ଆହତ ହୋଇଛନ୍ତି। ମାଲକାନଗିରି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚିଛ ସମସ୍ତ ଆହତଙ୍କୁ ମାଲକାନଗିରି ଚିକିତ୍ସାଳୟ କୁ ଭର୍ତି କରିବା ସହିତ ଟ୍ରକ ଟିକୁ ଅଟକ ରଖିଛି। ତେବେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଚମ୍ପଟ ମାରିଥିବା ଜଣାପଡ଼ିଛି। ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ସଦରମହକୁମା ନିକଟସ୍ଥ ଏମଭି ୪୩ ଗ୍ରାମର ଶାନ୍ତି ମଣ୍ଡଳ ନାମକ ବ୍ୟକ୍ତିଙ୍କର କୈାଣସି କାରଣରୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ ପରିବାର ଲୋକେ। ରୋଗାଗ୍ରସ୍ତ ଶାନ୍ତି ମଣ୍ଡଳଙ୍କ ସହିତ ତାଙ୍କର ସ୍ତ୍ରୀ ଛବି ମଣ୍ଡଳ ଏବଂ ଦୁଇ ପୁଅ ବାପାଙ୍କ ର ଚିକିତ୍ସା ପାଇଁ ନେଇଥିଲେ। ତେବେ ବ୍ରହ୍ମପୁର ମେଡିକାଲରେ ବାପାଙ୍କ ମୃତ୍ୟୁ ଘଟିଥିଲା। ଶବ ନେଇ ଆଜି ଘରକୁ ଫେରିବା ସମୟରେ ମାଲକାନଗିରି ନିକଟସ୍ଥ ସିନ୍ଦ୍ରିମାଲ ଠାରେ ଦୁର୍ଘଟଣାର ସ୍ବୀକାର ହୋଇଛନ୍ତି।