ଛାତ୍ରଯୁବ ସଂଗଠନ ପକ୍ଷରୁ ଶହୀଦ୍ ଭଗତ ସିଂଙ୍କ ବଳିଦାନ ଦିବସ ପାଳିତ

ବ୍ରହ୍ମପୁର : ମାର୍ଚ୍ଚ ୨୩ ତାରିଖ ହେଉଛି ଶହୀଦ୍ ଶିରୋମଣି ଭଗତ ସିଂଙ୍କ ୯୪ ତମ ଫାଶୀ ଦିବସ । ୧୯୩୧ ମସିହା ଏହି ଦିନ ବ୍ରିଟିଶ୍ ସାମ୍ରାଜ୍ୟବାଦୀ ସରକାର ବିପ୍ଲବୀ ଭଗତ ସିଂଙ୍କ ସମେତ ଶୁକଦେବ ଓ ରାଜଗୁରୁଙ୍କୁ ଫାସୀ ଖୁଣ୍ଟରେ ଚଢ଼ାଇ ମୃତ୍ୟୁଦଣ୍ଡ ଦେଇଥିଲା । ମହାନ ଦେଶପ୍ରେମୀ ଶହୀଦ୍ ଭଗତ ସିଂ ୨୮ ସେପ୍ଟେମ୍ବର ୧୯୦୭ ମସିହାରେ ପଞ୍ଜାବ ପ୍ରଦେଶର ବଙ୍ଗ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ବାପା ସର୍ଦାର କିଷାନ ସିଂ, ମାତା ବିଦ୍ୟାବତୀ କୌର। ଭଗତ ସିଂ ୧୨ ବର୍ଷ ବୟସରୁ ହିଁ ଦେଶ ମାତୃକାର ସେବା କରିବା ପାଇଁ ତାଙ୍କ ମୁଖରୁ ଜଣା ପଡୁଥିଲା ଭଗତ ସିଂ ଥିଲେ ବିପ୍ଲବର ପ୍ରତୀକ, ବ୍ରିଟିଶ୍ ବିରୋଧି ସ୍ୱାଧୀନତା ସଂଗ୍ରାମରେ ଆପୋଷହୀନ ସଂଗ୍ରାମ ଧାରାର ପ୍ରତିନିଧି,ଭାରତବର୍ଷରେ ସମାଜବାଦର ଅବ୍ୟ ପ୍ରବର୍ତ୍ତକ, ସାମ୍ପ୍ରଦାୟିକ ରାଜନୀତିର ଘୋର ବିରୋଧି,ଦଳିତ ଉତ୍ଥାନର ସମର୍ଥକ । ମଣିଷ ଦ୍ବାରା ମଣିଷର ଶୋଷଣ ଉପରେ ପ୍ରତିଷ୍ଠିତ ସାମାଜିକ ବ୍ୟବସ୍ଥାର ସେ ଥିଲେ ଘୋର ବିରୋଧି । ଶାସକ-ଶୋଷକର ରଙ୍ଗ ଗୋରା ହେଉ (ଗୋରା )ଅବା କଳା ହେଉ (ଭାରତୀୟ) ଏହା ଯଦି ଶୋଷଣ-ଉତ୍ପୀଡ଼ନ ଉପରେ ପ୍ରତିଷ୍ଠିତ ସେହି ସମାଜ ବ୍ୟବସ୍ଥାର ପତନ ପାଇଁ ଆଗେଇ ଆସିବାକୁ ଇନକିଲାବ ଜିନ୍ଦାବାଦର ନାରା ଦେଇ ଦେଶର ଜନଗଣ ବିଶେଷ ଭାବେ ଦେଶର ଯୁବସମାଜକୁ ସେ ଆହ୍ୱାନ ଦେଇଥିଲେ । ଦେଶକୁ ଶାସନ କରୁଥିବା ଦଳମାନେ ଦେଶର ବଡ଼ ପୁଞ୍ଜିପତି, ବଡ଼ ଜମିଦାର ଓ ସାମ୍ରାଜ୍ୟବାଦୀ ଦେଶମାନଙ୍କୁ ସୁହାଉଥିବା ନୀତିମାନ ପ୍ରଣୟନ କରିଛନ୍ତି । ଯାହାର ଫଳସ୍ୱରୂପ ଶ୍ରମିକ ଓ କୃଷକମାନଙ୍କ ଶ୍ରମରେ ସୃଷ୍ଟି ହେଉଥିବା ସମ୍ପଦର ଗୋଟେ ବଡ଼ ଭାଗ ବିଭିନ୍ନ ଭାବରେ ବିଦେଶକୁ ଚାଲାଣ ହୋଇଯାଉଛି । ଦେଶର ଖଣି, ପାଣି, ଜମି, ଜଙ୍ଗଲ, କୃଷିକ୍ଷେତ୍ର, ଶିକ୍ଷା ଓ ସ୍ୱାସ୍ଥ୍ୟସେବା, ଗମନାଗମନ, ରେଳ,ବ୍ୟାଙ୍କ ଆଦି ସବୁ ସରକାରୀ ଅନୁଷ୍ଠାନକୁ ଦେଶୀ / ବିଦେଶୀ ପୁଞ୍ଜିପତି ଶ୍ରେଣୀକୁ ବିକ୍ରି କରିଦିଆଯାଉଛି ।
ଏହିସବୁ ନୀତିର ପରିଣତି ଆଜି ଅତ୍ୟନ୍ତ ସାଙ୍ଘାତିକ ଅବସ୍ଥାକୁ ଆସିଯାଇଛି । ଆଜି ଦେଶର ଶତକଡ଼ା ଏକଭାଗ ଅତି ଧନୀକ ଶ୍ରେଣୀ ପାଖରେ ଦେଶର ସମୁଦାୟ ସମ୍ପତ୍ତିର ଚାଳିଶ ଭାଗ ଥିବା ବେଳେ ସବା ତଳେ ଥିବା ମଣିଷଙ୍କ ପାଖରେ ଦେଶର ମାତ୍ର ତିନି ଭାଗ ସମ୍ପତ୍ତି ରହିଛି l ସବା ତଳେ ଥିବା ଦେଶର ଏହି ପଚାଶ ଭାଗ ମଣିଷ ହେଉଛନ୍ତି କୃଷକ ଓ ଶ୍ରମିକ ଶ୍ରେଣୀ । ଅର୍ଥାତ୍ ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ପରେ ଧନୀ ଆହୁରି ଅଧିକ ଧନୀ ହୋଇଛି । ଆଉ ଶ୍ରମଜୀବୀ ଶ୍ରେଣୀ ଆହୁରି ଅଧିକ ଅସହାୟ, ଅଭାବ ଓ ଅସୁରକ୍ଷିତ ସ୍ଥିତି ମଧ୍ୟକୁ ଠେଲି ହୋଇଯାଇଛି । ଗୋଟିଏ ପଟେ ଦେଶରେ ଅରବପତି ( ୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ଥିବା ପରିବାର)ଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅପରପଟେ ସରକାରୀ ତଥ୍ୟ କହୁଛି ଯେ, ପ୍ରତିବର୍ଷ ଦଶ ହଜାରରୁ ଅଧିକ କୃଷକ ଓ ୧୩ ହଜାରରୁ ଅଧିକ ବେରୋଜଗାର ଛାତ୍ର ଓ ଯୁବକ ଅସହାୟ ଅବସ୍ଥାରେ ଆତ୍ମହତ୍ୟା କରୁଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି, ବେରୋଜଗାର ସଂଖ୍ୟାରେ ଅହେତୁକ ବୃଦ୍ଧି, ମହିଳା ଓ ଦଳିତମାନଙ୍କ ଉପରେ ଅତ୍ୟାଚାରରେ ବୃଦ୍ଧି, ସମାଜରେ ସାମ୍ପ୍ରଦାୟିକ ବିଦ୍ବେଶ ବୃଦ୍ଧି ଘଟି ସାଧାରଣ ମଣିଷ ଏକ ପ୍ରକାର ଅଣନିଶ୍ୱାସୀ ହୋଇଯାଇଛି । ନିଜର ଅଧିକାର ତଥା ଶାସକ ଶ୍ରେଣୀର ଜନ ବିରୋଧୀ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକଙ୍କ ଉପରେ ଫାଶୀବାଦୀ ଢାଞ୍ଚାରେ ଦମନ କରାଯାଉଛି । ବିଶେଷଭାବେ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହି ଦମନର ମାତ୍ରା ତୀବ୍ର ଭାବେ ବଢ଼ିଚାଲିଛି । ଏହିସବୁ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଧର୍ମ ଆଧାରରେ ରାଷ୍ଟ୍ରର ଆହ୍ୱାନ ଦେଇ ସାମ୍ପ୍ରଦାୟିକ ବିଭେଦର ବିଷମଞ୍ଜି ବୁଣୁଛନ୍ତି।
ଶହୀଦ୍ ଭଗତ ସିଂ ଓ ତାଙ୍କର ସାଥି ମାନେ ଦେଶରେ ସାମ୍ପ୍ରଦାୟିକ, ଧାର୍ମିକ,ଜାତିପ୍ରଥା ବିରୁଦ୍ଧରେ ସଂଘର୍ଷ କରିବା ସହ ଯେଉଁ ଶୋଷଣ – ଲୁଣ୍ଠନ – ଦମନ ବିହୀନ ମାନବ ସମାଜ ବ୍ୟବସ୍ଥାର ସ୍ୱପ୍ନ ଦେଖିଥିଲେ ତାକୁ ଦେଶର ପୁଞ୍ଜିପତି ଶାସକ ଶ୍ରେଣୀ ଆଜି ଧୂଳିସାତ୍ କରିଦେଇଛି । ତାର ବିପରୀତରେ ଯାଇ ଦେଶରେ ଅସମାନତା ତଥା ଅଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଯାଇ ଦେଶର ଭାଇଚାରା ଓ ସାମାଜିକ ମାନବିକ ମୂଲ୍ୟବୋଧକୁ ଧ୍ବଂସ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଆଜି ଖଲ୍ଲିକୋଟ କଲେଜ ଛକ ଠାରୁ ଶୋଭାଯାତ୍ରା ବାହାରି ଗିରି ମାର୍କେଟ ସ୍ଥିତ ପ୍ରକାଶମ ହଲ ଠାରେ ଶହୀଦ ଦିବସ ସ୍ମରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନବାଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲିକ, ଆଇନଜୀବୀ ଅବନୀ କୁମାର ଗୟା,ଅଲ କ୍ଷେତ ମଜଦୁର କିଷାନ ସଭାର ରାଜ୍ୟ ନେତା ନିରକାର ନାୟକ, ଜିଲ୍ଲା କମିଟି ରଞ୍ଜନ ଶବର, AIFTU(NEW) ଜିଲ୍ଲା ଆବାହକ ପବନା ଶବର ଯୋଗ ଦେଇ ବକ୍ତବ୍ୟ ରଖିଥିବା ବେଳେ ଅଲ ଇଣ୍ଡିଆ ଛାତ୍ର ଓ ଯୁବକ ସଂଗଠନର ଗଞ୍ଜାମ ଜିଲ୍ଲା ଆବାହକ କମିଟି ଲଡ଼ୁ ଶବର, କାଳୁ ନାୟକ, ଟୁକୁନା ନାୟକ, ବସନ୍ତ ନାୟକ, ଅରବିନ୍ଦ ମଳିକ, ଶଙ୍କର ନାୟକ, ପ୍ରକାଶ ନାୟକ, ସୁରେଶ ଯାନୀ, ସୁରଥ ଶବର ନେତୃତ୍ୱ ନେଇଥିବା ବେଳେ ଶହ ଶହ ସଂଖ୍ୟାରେ ଯୁବଛାତ୍ର ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.