ହିଞ୍ଜିଳି, ଡି. ପାଟପୁର ଓ ବେଲଗାଁରେ ୨୧ ଦିନିଆ ଦଣ୍ଡନାଚର ଶୁଭାରମ୍ଭ
ଢୋଲ ଓ ମହୁରୀ ଶବ୍ଦ ସାଙ୍ଗକୁ ରୁଦ୍ରକାଳୀଙ୍କୁ ଭଜ ହେ ଧ୍ୱନିରେ କମ୍ପିଲା ଗାଁ ଦାଣ୍ଡ
ହିଞ୍ଜିଳିକାଟୁ : ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଚୈତ୍ର ମାସରେ ଆରମ୍ଭ ହୋଇଥାଏ । ମାନସିକଧାରୀ ଦଣ୍ଡୁଆ ମାନେ ନିଜ ନିଜର ମାନସିକ ପୂରଣ ସକାଶେ ବହୁ କଷ୍ଟ ସହ୍ୟକରି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଏହି ଅବସରରେ ଚୈତ୍ରମାସ ଚତୁର୍ଥୀ ତିଥୀ ମଙ୍ଗଳବାର ହିଞ୍ଜିଳିକାଟୁ ପୌରାଞ୍ଚଳ ହିଞ୍ଜିଳି ଓ ସ୍ଥାନୀୟ ବ୍ଳକ ବେଲଗାଁରେ ୨୧ ଦିନିଆ ଦଣ୍ଡନାଚର ଶୁଭାରମ୍ଭ ହୋଇଛି । ମଙ୍ଗଳବାର ପ୍ରାତଃହରୁ ମାନସିକଧାରୀ ଦଣ୍ଡୁଆ ମାନେ ହାତରେ ପିଞ୍ଛମୁଠା, ବାନା ଧରି ଢୋଲ ମହୁରୀ ବଜାଇ ଗ୍ରାମ ପରିକ୍ରମା କରିଥିଲେ । ସହରର ଜନସାଧାରଣ ଘର ସମ୍ମୁଖରେ ଧୂପ, ଦୀପ, ନୈବେଦ୍ୟ ଓ ପୁର୍ଣ୍ଣକୁମ୍ଭ ସ୍ଥାପନ କରି ମା’ ଦଣ୍ଡକାଳୀ ଓ ସ୍ୱପ୍ନେଶ୍ୱର ମହାଦେବଙ୍କୁ ଭୋଗ ସମର୍ପଣ କରିବା ସହ ଆଶିଷ ଭିକ୍ଷା କରିଥିଲେ । ଗ୍ରାମ ପରିକ୍ରମା କରି ମାନସିକଧାରୀ ଦଣ୍ଡଭୁକ୍ତା ମାନେ ପ୍ରଚଣ୍ଡ ରୌଦ୍ରତାପରେ ମନ୍ଦିର ସମ୍ମୁଖରେ ଧୂଳିଦଣ୍ଡ ଓ ପରେ ପୋଖରୀ ମଧ୍ୟରେ ଜଳଦଣ୍ଡରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ମା’ ଦଣ୍ଡକାଳୀ ଓ ହରଗୌରୀଙ୍କୁ ଆଳତି ସମର୍ପଣ କରାଯାଇଥିଲା । ଆଳତି ଦର୍ଶନ ସକାଶେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବହୁ ମହିଳା ଓ ପୁରୁଷ ଭକ୍ତଙ୍କ ସମାଗମ ହୋଇଥିଲା । ରୁଦ୍ରକାଳୀ ଓ ସ୍ୱପ୍ନେଶ୍ୱରଙ୍କୁ ଭଜ ହେ ଧ୍ୱନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ମଧ୍ୟରାତ୍ରରେ କାଳୀ ପ୍ରସନ୍ନ ଓ କାଳିକା ନାଚ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହିଞ୍ଜିଳି ବଡ ଦଳ ପକ୍ଷରୁ ” ହା କୃଷ୍ଣ ବୋଲି ଯାଉ ଜୀବ” ଓ ସାନଦଳ ପକ୍ଷରୁ ସ୍ବାମୀ ପାଇଁ ପଛେ ନର୍କକୁ ଯିବି’ ନାଟକ ମଞ୍ଚସ୍ଥ ହୋଇଥିଲା । ସେହିପରି ବେଲଗାଁ ଦଣ୍ଡଦଳ ପକ୍ଷରୁ ‘ ହା କୃଷ୍ଣ ବୋଲି ଯାଉ ଜୀବ ଓ ଡି ପାଟପୁର ଦଳ ପକ୍ଷରୁ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ କରାଯାଇଥିଲା । ଅନୁରୂପ ଭାବେ ପର୍ଯ୍ୟାୟ କ୍ରମେ ସ୍ଥାନୀୟ ବ୍ଳକ ବୁରୁପୋଡା, ରାଳବ, ଆଲପୁର ଗ୍ରାମରେ ୧୮ ଦିନିଆ ଓ ଖଣ୍ଡରା, ପୋଚିଲିମା, ସମରଝୋଳ, କଞ୍ଚୁରୁର ୨ ଦଳ, ସାରୁ, ଦୁର୍ବନ୍ଧର ୩ ଦଳ, ଗୋଦରାପଲ୍ଲୀ, ଡି. ପାଟପୁର, ସାହାପୁର ଓ ଶିଖରପୁର ଅଞ୍ଚଳର ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତିରେ ଦଣ୍ଡଯାତ୍ରା ଶେଷ ହେବ ।
