ସ୍ୱାଧୀନତାର ୭୮ ବର୍ଷ ପରେ ବି ଗାଁକୁ ପହଞ୍ଚି ପାରିଲା ନାହିଁ ପିଚୁ ରାସ୍ତାଟିଏ…

ଉମରକୋଟ /ରାଇଘର : ବଦଳିଛି ଯୁଗ ବଦଳିଛି ସମୟ । ଯେଉଁ ଜାଗାରେ ବିକଶିତ ଗାଁ, ବିକଶିତ ଭାରତ ନାରା ପିଟୁଛନ୍ତି ସେଠାରେ ସ୍ୱାଧୀନତାର ଏତେବର୍ଷ ପରେ ବି କୋଟୁଆଲପାରା ଗ୍ରାମଟିକୁ ଭଲ ରାସ୍ତାଟିଏ ନାହିଁ | ଏହି ଗ୍ରାମର ସ୍ବର୍ଗୀୟ ପାଞ୍ଚ ଭାଇ ବାସୁ ଗଣ୍ଡ, ଚାନ୍ଦୁ ଗଣ୍ଡ, ଲଖମୁ ଗଣ୍ଡ, ଜଗଡୁ ଗଣ୍ଡ ଓ ବୁଟିଆ ଗଣ୍ଡ ସମସ୍ତେ ଜୟପୁର ବିକ୍ରମଦେବ ରାଜାଙ୍କ ଠାରୁ ଜମି ପଟ୍ଟା ପାଇଥିବା କଥା ସେହି ଗ୍ରାମର ବୃଦ୍ଧ ଜବଳସିଂ ଗଣ୍ଡ (୮୫)ଆମ ପ୍ରତିନିଧି ଆଗରେ ପ୍ରକାଶ କହିଛନ୍ତି | ସେଇଠାରେ ସ୍ଥାପିତ ହୋଇଥିଲା ଗାଁ | ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ, ବୋବେଇ ପଞ୍ଚାୟତ ଅନ୍ତର୍ଗତ ରେଭେନ୍ୟୁ ଗାଁ କୋଟୁଆଲପାରାର ଏହା ହେଉଛି ପୂର୍ବ ଇତିହାସ । ତେବେ ଏହି ଗାଁକୁ ଆଜି ଯାଏ ପହଁଞ୍ଚି ପାରି ନାହିଁ ସରକାରୀ ଯୋଜନାର ପିଚୁ ରାସ୍ତାଟିଏ ବା ଗ୍ରାମ ଭିତରେ ମଧ୍ୟ ନାହିଁ ଭଲ ଗ୍ରାମ୍ୟ ଚଳାଚଳ ରାସ୍ତା । ଏକ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି କହି ଅଭିଯୋଗ କରିଛନ୍ତି ପ୍ରମୁଖ ଗ୍ରାମବାସୀବୃନ୍ଦ । ମୌଳିକ ସୁବିଧା ଏମାନଙ୍କୁ ଯୋଗାଇ ଦିଆଯିବା ନେଇ ବାରଂବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଗ୍ରାମ ପଞ୍ଚାୟତଠୁ ବ୍ଲକ ଅଧିକାରୀ ଓ ଜ଼ିଲ୍ଲା ପ୍ରଶାସନ କେହି କର୍ଣ୍ଣପାତ କରୁ ନାହାନ୍ତି। କେବେ ଏହି ରେଭେନ୍ୟୁର ଗାଁ ଲୋକେ ସରକାରୀ ଯୋଜନାରେ ସାମିଲ ହେବେ ଓ ମୌଳିକ ସୁବିଧା ପାଇବେ ?

ଏହି ଗାଁକୁ ଯିବାକୁ ହେଲେ ରାଇଘର ମୁଖ୍ୟ ବ୍ଲକ ଠାରୁ ଆନୁମାନିକ ପ୍ରାୟ ୧୨ କିଲୋମିଟର, ଉଦୟପୁର ମୁଖ୍ୟ ପିଚୁ ରାସ୍ତା,ବୀରପୁର ଗାଁ ପାଖରୁ ଅଧା କିଲୋମିଟର ଦୂର କୋଟୁଆଲପାରା ଗାଁ । ଆନୁମାନିକ ଦଶବାର ବର୍ଷ ହେବ ଗୋଟିଏ ମାଟି ରାସ୍ତା ସ୍ୱଳ୍ପ ସରକାରୀ ଅନୁଦାନରେ ଓ ନିଜ ଖର୍ଚ୍ଚାରେ ତିଆରି କରିଥିଲେ ଗ୍ରାମର ସାଧୁରାମ ଗଣ୍ଡ, ଲଚୀନଦର ଗଣ୍ଡ, ସୁଖଲାଲ ଗଣ୍ଡ, ଇଶ୍ୱର ଜୟଦେବ ଗଣ୍ଡ, ନରସିଂ ଗଣ୍ଡ, ଇଶ୍ୱର ପୂରଣ ଗଣ୍ଡ ଓ ମତିରାମ ଗଣ୍ଡ ସହ ସମସ୍ତ କୋଟୁଆଲପାରା ( ପାଥରପାରା ) ଗ୍ରାମବାସୀ ।

ବର୍ତ୍ତମାନ ଏହି ମାଟି ରାସ୍ତାଟିରେ ଠିକାଦାର ମନମୁଖି ନାମ ମାତ୍ର ମୋରମ ପକାଉଛନ୍ତି। କେତେ ଟଙ୍କାର କାମ, କେଉଁ ଯୋଜନାର କାମ, ନା ଅଛି ଫଳକନାମା ବୋର୍ଡ । ଏଠି ବିକାଶ ଏମାନଙ୍କୁ ପାଇଁ ସାତ ସପନ ଓ ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ଚିନ୍ତାରେ ଗ୍ରାମବାସୀ। ଏହି ଗ୍ରାମକୁ ଭଲ ପିଚୁରାସ୍ତାଟିଏ ନିର୍ମଣ କରିବା ଲାଗି ପ୍ରଶାସନକୁ ନିବେଦନ କରିଛନ୍ତି ଗ୍ରାମବାସୀ |

nis-ad
Leave A Reply

Your email address will not be published.