ଦୁଷ୍କର୍ମ ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶ ଉପରେ ଲାଗିଲା ରୋକ

add-all

ନୂଆଦିଲ୍ଲୀ :ଡେସ୍କ: ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶ ଉପରେ ରୋକ ଲଗାଇବା ସହ ଏହି ରାୟ ସମ୍ବେଦନଶୀଳତାର ଅଭାବ ଦର୍ଶାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶରେ କୁହାଯାଇଛି ଯେ ସ୍ତନ ସ୍ପର୍ଶ କରିବା କିମ୍ବା ପାଇଜାମାର ଡୋର ଖୋଲିବା ଭଳି କାର୍ଯ୍ୟ ଦୁଷ୍କର୍ମ ଉଦ୍ୟମ ନୁହେଁ ଏବଂ ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୋଧରେ ନିଜର ଅଭିଯୋଗ ପ୍ରମାଣ କରିବା ପାଇଁ ପ୍ରସିକ୍ୟୁସନ୍ ଏହି ‘ପ୍ରସ୍ତୁତିର ପର୍ଯ୍ୟାୟ’ରୁ ବାହାରକୁ ଯିବା ଉଚିତ୍।
ଆହ୍ଲାବାଦ ହାଇକୋର୍ଟଙ୍କ ମାର୍ଚ୍ଚ ୧୭ ତାରିଖ ଆଦେଶ ବିରୋଧରେ ‘ୱି ଦ ଓମେନ୍ ଅଫ୍ ଇଣ୍ଡିଆ’ ନାମକ ଏକ ସଂଗଠନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସୁପ୍ରିମକୋର୍ଟ ଏହି ମାମଲାକୁ ନିଜଆଡୁ ଗ୍ରହଣ କରିଥିଲେ।
ଜଷ୍ଟିସ ବିଆର୍ ଗାଭାଇ ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ରାୟ ହାଇକୋର୍ଟ ବିଚାରପତିଙ୍କ ସମ୍ବେଦନଶୀଳତାର ଅଭାବକୁ ଦର୍ଶାଉଛି। ସୁପ୍ରିମକୋର୍ଟ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ଜବାବ ମାଗିବା ସହ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କ ସହାୟତା ଲୋଡ଼ିଛନ୍ତି।
ଚଳିତ ମାସ ୧୭ ତାରିଖରେ ଜଷ୍ଟିସ ରାମ ମନୋହର ନାରାୟଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୟୁପିର କାସଗଞ୍ଜରେ ଅଭିଯୁକ୍ତଙ୍କ ଅପରାଧିକ ସଂଶୋଧନ ଆବେଦନକୁ ମଞ୍ଜୁର କରି ବିବାଦୀୟ ଆଦେଶ ଦେଇଛନ୍ତି।
ଅଭିଯୁକ୍ତ ପୱନ ଓ ଆକାଶଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏବଂ ମାମଲାର ତଥ୍ୟ ଦୁଷ୍କର୍ମ ଉଦ୍ୟମ ଅପରାଧ ନୁହେଁ ବୋଲି କୋର୍ଟ କହିଥିଲେ।

ad-week
Leave A Reply

Your email address will not be published.