ଭୁବନେଶ୍ବର: ରାଜ୍ୟରେ ଟାଇଁଟାଇଁ ଖରା ସହ ବୃଦ୍ଧି ପାଉଛି ପାରଦର ସ୍ତର। ଆଗାମୀ ତିନି ଦିନ ମଧ୍ୟରେ ୨ ରୁ ୪ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ରାଜ୍ୟରେ ଅସମ୍ଭାଳ ତାତି ଅନୁଭବ ହେବ। ୩ ଦିନ ପରେ ତାପମାତ୍ରାରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନଥିବା ବେଳେ ୨୯ ତାରିଖରେ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ସେପଟେ ଆଗାମୀ ୫ ଦିନ ପାଗ ଶୁଖିଲା ରହିବ ବୋଲି କହିଛି। ବର୍ତ୍ତମାନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରି କମ ରହିଛି, ଯାହାକି ଆଗାମୀ ୩ ଦିନ ମଧ୍ୟରେ ଧୀରେଧୀରେ ବଢ଼ିବ। ଏହି ବର୍ଦ୍ଧିତ ତାପମାତ୍ରାକୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଟପିବା ସହ କିଛି ସ୍ଥାନରେ ୪୨ ଡିଗ୍ରି ଛୁଇଁପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଆସନ୍ତା ୨୯ ତାରିଖରେ ହିଟ ୱେଭ ପାଇଁ ସତର୍କତା ଜାରି କରାଯାଇଥିବା ବେଳେ ସୋନପୁର, ବଲାଙ୍ଗୀର, ବୌଦ୍ଧ,କଳାହାଣ୍ଡି ଓ ସମ୍ବଲପୁର ଏହି ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି। ସେହିପରି ୩୦ ତାରିଖରେ ସମାନ ଜିଲ୍ଲାରେ ହିଟ ୱେଭ ସତର୍କତା ଥିବା ବେଳେ ବର୍ଷାର କୌଣସି ସମ୍ଭାବନା ନଥିବା ଆକଳନ କରିଛି।
ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଗତ ୨୪ ଘଣ୍ଟା ରେ ସାରା ଓଡ଼ିଶାରେ ଶୁଖିଲା ପାଗ ସହ ସର୍ବାଧିକ ତାପମାତ୍ରା ବୌଦ୍ଧ ରେ ୩୮.୦୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱର ୩୫.୬ ଓ କଟକରେ ୩୪.୫ ତାପମାତ୍ରା ରେକର୍ଡ କରାଯାଇଛି।
