ପୁରୀ : ସାହି ଯାତ ପାଇଁ ଜାଗା ଆଖଡ଼ା ଗୁଡ଼ିକରେ ସକାଳେ ଏବଂ ଅପରାହ୍ନରେ ଚାଲୁଛି ଜୋରଦାର ଅଭ୍ୟାସ । କଳାକାରମାନେ ଖଣ୍ଡା ଓ ଲାଠି ଚାଳନା ଶିଖୁଥିବା ବେଳେ ରାବଣ, ସପ୍ତସିରା, ପର୍ଶୁରାମ, ନାଗା ଓ ମେଢ଼ ଆଦି ନୃତ୍ୟାଭାସ ମଧ୍ୟ ଜୋରସୋରରେ ଚାଲିଛି । ଆସନ୍ତା ୬ ତାରିଖରେ ପବିତ୍ର ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପ୍ରସିଦ୍ଧ ସାହି ଯାତ । ପ୍ରଭୁ ଶ୍ରୀରାମଙ୍କ ଲୀଳା ଏବଂ କଥାବସ୍ତୁ କଳାକାରମାନେ ବିଭିନ୍ନ ଜାଗା ଆଖଡ଼ା, ସାହି ଓ ବଡ଼ଦାଣ୍ଡରେ ପରିବେଷଣ କରିବେ । ଏଣୁ ସାହିଯାତ ୨୦୨୫ ପାଇଁ ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ । ଏନେଇ ପୁରାତନ ଆଠ ସାହି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିଭିନ୍ନ ସାହିରେ ଥିବା ଜାଗା ଆଖଡ଼ା ପରିସରରେ ସାହି ଯାତ ପାଇଁ ସମସ୍ତ ପାରମ୍ପରିକ ନୃତ୍ୟ ଏବଂ ବାଦ୍ୟର ପ୍ରସ୍ତୁତି ଜୋରସୋରରେ ଚାଲିଛି । ପୁରୀର ପ୍ରସିଦ୍ଧ ସାହି ଯାତରେ ପ୍ରଭୁ ଶ୍ରୀରାମଙ୍କ କଥାବସ୍ତୁ ଅତି ଚମତ୍କାର ଭାବେ ପରିବେଷିତ ହୋଇଥାଏ । ତେବେ ସାହି ଯାତକୁ ସଫଳ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ ଓ ଶ୍ରୀକ୍ଷେତ୍ର ବାସି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ହେଉଛି ବହୁ ପ୍ରାଚୀନ ସାଂସ୍କୃତିକ ପୀଠ । ଶ୍ରୀକ୍ଷେତ୍ରର ପ୍ରାଚୀନ ଆଠ ସାହି ପକ୍ଷରୁ କାହିଁ କେଉଁ କାଳରୁ ଶ୍ରୀରାମ ନବମୀ ଠାରୁ ପ୍ରଭୁ ଶ୍ରୀରାମଙ୍କ କଥାବସ୍ତୁ ଥିବା ସାହିଯାତ ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ସମୟ ବହୁତ ବଦଳିଛି ସତ କିନ୍ତୁ ଶ୍ରୀକ୍ଷେତ୍ର ବାସୀ ତାଙ୍କ ପରମ୍ପରାକୁ ଭୁଲି ନାହାଁନ୍ତି । ଜାଗା ଆଖଡ଼ାର କଳାକାରମାନେ ସାହିଯାତ ଅବସରରେ ପାରମ୍ପରିକ ନୃତ୍ୟ କଳା ପ୍ରଦର୍ଶନ କରିଥାନ୍ତି । ଏଥିସହ ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହ ଜଡ଼ିତ ଥିବା ସାହିଯାତରେ ବାହାରୁଥିବା ଠାକୁରଙ୍କ ନୀତି ମଧ୍ୟ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହେବ । ସେପଟେ ସାହିଯାତ ଉତ୍ସବକୁ ସଫଳ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କୌଣସି ବିଶୃଙ୍ଖଳା ଯେଭଳି ନହୁଏ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ l
ଆସନ୍ତା ୬ ତାରିଖରେ ରାମନବମୀ ଅବସରରେ ରାମଜନ୍ମ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ଯଜ୍ଞ ରକ୍ଷା ନୀତି, ପର୍ଶୁରାମ କଳାହରଣ ଓ ସୀତା ବିବାହ, ରାମ ବନବାସ, ସୀତା ଚୋରି, ଲଙ୍କା ପୋଡ଼ି, ସେତୁ ବନ୍ଧ ନୀତି ସହ ରାବଣ ବଦ୍ଧ ଓ ରାମାଭିଷେକ ଓ ପତିଆରା ହନୁମାନ ନୀତି ଅନୁଷ୍ଠିତ ହେବ ।
