ଅନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗ୍‌ର ୯ ଗିରଫ: ଦୁବାଇରୁ ଅପରେଟ୍‌ ହେଉଥିଲା ନକଲି ଟ୍ରେଡିଂ ଆପ୍‌

ରାଉରକେଲା: ରାଉରକେଲା ସାଇବର ଥାନା ପୁଲିସ ଏକ ଅନ୍ତର୍ଜାତୀୟ ସାଇବର ଠକ ରୢାକେଟ୍‌ର ପର୍ଦାଫାସ କରିଛି। ନକଲି ଟ୍ରେଡିଂ ଆପ୍‌ ଖୋଲି ଲୋକଙ୍କୁ ଠକିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଛି। ଠକେଇର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଛତିଶଗଡ଼ ରାୟପୁରର କିଶନ ଅଗ୍ରୱାଲ (୨୬) ଓ କୁନାଲ ଅଗ୍ରୱାଲ (୨୫)। ସେମାନଙ୍କ ସହ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର ଅର୍ଜୁନ ସିଂ (୨୭), ଛତିଶଗଡ଼ ଯଶପୁରର ଗିରିଧାରୀ ସିଂ (୨୪), ଛତିଶଗଡ଼ କୋର୍‌ବା ଜିଲ୍ଲାର ଅଜୟ କୁମାର (୨୫), ଛତିଶଗଡ଼ ବଲୌଦାବଜାରର ସନ୍ଦୀପ ସୋନୀ (୨୮), ଛତିଶଗଡ଼ ଜାଞ୍ଜଗିର-ଚାମ୍ପା ଅଞ୍ଚଳର ସୌମେନ୍ଦ୍ର ସିଂ ରାଜପୁତ (୨୭), ଦୀନେଶ କୁମାର ସାହୁ (୨୫) ଓ ଛତିଶଗଡ଼ ରାୟଗଡ଼ର ଅଭିଜିତ ଭରଦ୍ୱାଜ (୨୭) ଗିରଫ ହୋଇଛନ୍ତି। ଅଭିଯୁକ୍ତମାନଙ୍କର ୨୩ଟି ଆକାଉଣ୍ଟରୁ ୧ କୋଟି ୪୧ ଲକ୍ଷ ଟଙ୍କା ଫ୍ରିଜ୍‌ କରାଯାଇଛି। ୫ଟି ଲାପଟପ୍, ୩୧ଟି ମୋବାଇଲ୍, ୬୮ଟି ସିମ୍ କାର୍ଡ, ୨ଟି ଜିଓ ଫାଇବର ରାଉଟର୍‌, ୨୦ଟି ପରିଚୟପତ୍ର, ୪ଟି ବ୍ୟାଙ୍କ୍‌ ପାସବୁକ୍ ଓ ଚେକ୍ ବୁକ୍, ୨ଟି ପେନ୍ ଡ୍ରାଇଭ୍, ୧୯ଟି ଏଟିଏମ୍ ଓ ଡେବିଟ୍ କାର୍ଡ, ଗୋଟିଏ ମାରୁତି ସୁଇଫ୍‌ଟ କାର୍ ଏବଂ ଗୋଟିଏ ସ୍କୁଟର (ସିଜି୧୩ଏଏଚ୍‌-୦୬୫୯) ଜବତ ହୋଇଛି। ଏ ସଂପର୍କରେ ରାଉରକେଲା ପୁଲିସ ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ରାଉରକେଲା ଏସ୍‌ପି ନିତେଶ ୱାଧୱାନୀ ସୂଚନା ଦେଇଛନ୍ତି। ପାନପୋଷ ଏସ୍‌ଡିପିଓ ଅମ୍ବିତ ମହାନ୍ତି ଉପସ୍ଥିତ ଥିଲେ।
କିଛି ଦିନ ତଳେ ରାଉରକେଲା ସିଭିଲ୍‌ ଟାଉନସିପ୍‌ ଅଞ୍ଚଳର ଏକ ଘରେ କିଛି ଯୁବକ ଆସି ଭଡ଼ାରେ ରହୁଥିଲେ। ମଙ୍ଗଳବାର ରଘୁନାଥପାଲି ପୁଲିସ ଉକ୍ତ ଭଡ଼ାଘରେ ଚଢ଼ଉ କରି ୨ ଜଣ ଯୁବକଙ୍କୁ ଉଠାଇ ନେଇଥିଲା। ପଚରାଉଚରା ପରେ ବାସନ୍ତୀ କଲୋନିର ଡିଏଲ୍‌ ଅଞ୍ଚଳରେ ଏକ ଭଡ଼ା ଘରେ ଆଉ ୫ ଜଣ ଯୁବକ ଥିବା ଜାଣିବାକୁ ପାଇଥିଲା ପୁଲିସ। ସେମାନଙ୍କୁ ମଧ୍ୟ ଉଠାଇଆଣି ପଚରାଉଚରା କରାଯାଇଥିଲା। ସେମାନେ ଛତିଶଗଡ଼ ରାୟପୁରର କିଶନ ଅଗ୍ରୱାଲ ଓ କୁନାଲ ଅଗ୍ରୱାଲଙ୍କ ପାଇଁ କାମ କରୁଥିବା ଜଣାପଡ଼ିଥିଲା। ପୁଲିସ ଯୋଜନାବଦ୍ଧ ଭାବେ ରାଉରକେଲାରେ ଅଟକ ଯୁବକଙ୍କ ଦ୍ବାରା ଦୁଇଭାଇଙ୍କୁ ରାଉରକେଲା ଡକାଇଥିଲା। ପରେ ଏହି ଅନ୍ତର୍ଜାତୀୟ ସାଇବର ଠକେଇର ଖିଅ ଖୋଜିବା ଆରମ୍ଭ କରିଥିଲା। ଜଣାପଡ଼ିଲା ଯେ କିଶନ ଅଗ୍ରୱାଲ ୟୁଏଇରେ ବସି ଫେକ୍‌ ଟ୍ରେଡିଂ ଆପ୍‌ ‘ଟ୍ରେଡ୍‌ ନାଓ’ ଚଳାଇଥିଲା। ଏଥିରେ ସାନଭାଇ କୁନାଲ ତାକୁ ସହଯୋଗ କରୁଥିଲା। ପୁଲିସ ହାତରେ ଧରାପଡ଼ିଯିବା ଭୟରେ ସେମାନେ ଦୁବାଇରୁ ଆପ୍‌ ଅପରେଟ୍‌ କରୁଥିଲେ। ଏହି ଗ୍ୟାଙ୍ଗ୍ ନାଁରେ ଦେଶବ୍ୟାପୀ ୨୭ଟି ମାମଲା ରହିଛି।

nis-ad
Leave A Reply

Your email address will not be published.