ଭୁବନେଶ୍ୱର :ଯୋଗ୍ୟତା ନଥାଇ ବି ସରକାରୀ ଚାକିରୀ । ଏମିତି କଣ ସମ୍ଭବ । ଖଣ୍ଡେ ସରକାରୀ ଚାକିରୀ ପାଇଁ ଲୋକେ କେତେ କଣ କରୁଛନ୍ତି ତା ବିଷୟରେ ନ କହିବା ଭଲ । ହେଲେ ଏଠି ଲୋକେ ଯୋଗ୍ୟତା ନ ଥାଇ ବି ଜାଲ ସାର୍ଟିଫିକେଟରେ କରୁଛନ୍ତି ସରକାରୀ ଚାକିରୀ । କେବଳ ଯେ ସରକାରୀ ଚାକିରୀ କରିଛନ୍ତି ତା ନୁହେଁ । ସରକାରଙ୍କୁ ଚୂନ ଲଗାଇ ଲୁଟି ନେଲେଣି ୩ କୋଟିରୁ ଉର୍ଦ୍ଧ୍ଵ ଟଙ୍କା । ଆଉ ତଦନ୍ତ ସମୟରେ ଘଟଣାର ଖୋଳତାଡ଼ ହେବାରୁ ଦେଲେ ପରିବାର ପ୍ରତି ବିପଦ ଧମକ । ଏଭଳି ଜଣେ ଅଧ୍ୟାପକଙ୍କ ଜାଲିଆତି ଏବେ ସାମ୍ନାକୁ ଆସିଛି ଉଚ୍ଚ ଶିକ୍ଷା ବିଭାଗର ଚିଠି ପରେ ।
ସେହି ୪୨୦ ଅଧ୍ୟାପକ ହେଲେ ଉଦଳା କଲେଜର ଜୁଲୋଜି ବିଭାଗ ଅଧ୍ୟାପକ ପ୍ରଭାକର ସାହୁ । କଲେଜରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଲେଜକୁ ନିର୍ଦେଶ ଆସିଥିଲା । ଏହି ନିର୍ଦେଶ ପରେ ଦସ୍ତାବିଜ ଯାଞ୍ଚ ସମୟରେ ଖୋଲିଗଲା ଜୁଲୋଜି ଅଧ୍ୟାପକ ପ୍ରଭାକର ସାହୁଙ୍କ କାରସାଦି । ଯାଞ୍ଚ ସମୟରେ ସେ ପ୍ରଦାନ କରିଥିବା ପିଜି ସାର୍ଟିଫିକେଟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ସମୟରେ ଅଧ୍ୟାପକ ମଧ୍ୟ ପିଜି ଡିଗ୍ରୀର ଅରିଜିନାଲ ସାର୍ଟିଫିକେଟ ଦେଖାଇ ପାରି ନଥିଲେ ।
ଯାହାକୁ ନେଇ ସେ ପିଜି ପାସ କରିଥିବା ବ୍ରହ୍ମପୁର ୟୁନିଭରସିଟିରୁ ତାଙ୍କ ସାର୍ଟିଫିକେଟ ମଗାଇବା ପରେ ସେ ୧୯୯୩ ମସିହାରେ ପିଜି ପାସ କରିଥିବା ଜଣାଯାଇଥିଲା । ଯାହା ପରେ ସାମ୍ନାକୁ ଆସିଲା ୪୨୦ ଅଧ୍ୟାପକଙ୍କ ଜାଲିଆତିର ପେଡି । କାରଣ ୧୯୯୩ ମସିହାରେ ସେ ପିଜି ପାସ କରିଥିବା ବେଳେ ୧୯୯୨ ମସିହାରୁ ଚାକିରୀରେ ଜଏନ କରିଥିବା ଘଟଣା ସାମ୍ନାକୁ ଆସିଥିଲା । ଯାହାକି ଯୋଗ୍ୟତା ନ ଥାଇ ଅର୍ଥାତ ସାର୍ଟିଫିକେଟ ଫର୍ଜରୀ କରି ସେ ଅଧ୍ୟାପକ ଭାବେ ଚାକିରୀ କରିଥିବା ସ୍ପଷ୍ଟ ହୋଇଥିଲା ।
ଏହାକୁ ନେଇ କଲେଜ ପ୍ରିନ୍ସିପାଲ ମଧ୍ୟ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସେପଟେ ଏହି ସାର୍ଟିଫିକେଟର ଯାଞ୍ଚ ପାଇଁ ବ୍ରହ୍ମପୁର ୟୁନିଭରସିଟିକୁ ତଥ୍ୟ ମାଗିଥିବାରୁ ଯାଞ୍ଚ କମିଟିର ଅଧ୍ୟାପକ ଆଲୋକ ପ୍ରଧାନଙ୍କୁ ଜାଲି ଅଧ୍ୟାପକ ପ୍ରଭାକର ସାହୁ ଧମକ ମଧ୍ୟ ଦେଇଛନ୍ତି । ତାଙ୍କ ପରିବାର ପ୍ରତି ବିପଦ ଧମକ ଦେଇଥିଲେ ଜାଲି ଅଧ୍ୟାପକ । ଯାହାକୁ ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ତେବେ ଜାଲିଆତି କରି ସରକାରଙ୍କୁ ଚୂନ ଲଗାଇ ୧୯୯୨ ମସିହାରୁ ଚାକିରୀ କରି ରାଜକୋଷରୁ ୩ କୋଟିରୁ ଉର୍ଦ୍ଧ ଟଙ୍କା ଠକି ନେଇଛନ୍ତି ଅଧ୍ୟାପକ ପ୍ରଭାକର ।
ବଡ଼ସାହି କଲେଜରୁ ଚାକିରୀ ଆରମ୍ଭ କରିଥିବା ଜାଲି ଅଧ୍ୟାପକ ପ୍ରଭାକର ୨୦୧୫ ମସିହାରୁ ଉଦଳା କଲେଜରେ ଜୁଲୋଜି ବିଭାଗରେ ପାଠ ପଢ଼ାଉଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଅଧ୍ୟାପକ ପ୍ରଭାକର ସାହୁ । ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଘଟଣାର ସତାସତ୍ୟ। ତାଙ୍କ ସାର୍ଟିଫିକେଟ ଠିକ ଅଛି ଏବଂ ତାଙ୍କୁ ଉଦେଶ୍ୟ ମୂଳକ ଭାବେ ଫସାଇ ଦିଆଯାଉଛି । ସେ ଯାଞ୍ଚ ସମୟରେ ପ୍ରିନସିପାଲଙ୍କ ନିକଟରେ ଅରିଜିନାଲ ସାର୍ଟିଫିକେଟ ଦେଖାଇଥିଲେ ସୁଦ୍ଧା ପ୍ରିନସିପାଲ କ’ଣ ପାଇଁ ଏଭଳି ଷଡଯନ୍ତ୍ର କରିଛନ୍ତି ତାହାକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।
ସେ ୧୯୯୨ ମସିହାରେ ପିଜି ପରୀକ୍ଷା ଦେଇଥିବା ବେଳେ ଉକ୍ତ ବର୍ଷ ହିଁ ଚାକିରୀ କରିଛନ୍ତି ଏବଂ କୌଣସି ଫର୍ଜରୀ କରି ନାହାନ୍ତି ବୋଲି କହିଛନ୍ତି । ଅଧ୍ୟାପକ ଆଲୋକ ପ୍ରଧାନଙ୍କୁ ସେ ଧମକ ଦେବା ଉଦେଶ୍ୟରେ କୌଣସି ମେସେଜ କରି ନ ଥିବା କହିଛନ୍ତି । ନିଜର କୌଣସି ଭୁଲ ନ ଥିବା ଓ ଜାଲିଆତି କରି ନ ଥିବା କହିଛନ୍ତି ପ୍ରଭାକର ସାହୁ । ତେବେ ଏହି ଘଟଣା କେତେ ସତ କେତେ ମିଛ ତାହା ତଦନ୍ତ ପରେ ହିଁ ଜଣାପଡିବ ।
