ଭୁବନେଶ୍ୱର : ପଡିବ ଯାତ୍ରା ଯୁଦ୍ଧରେ ଯବନିକା ? ଯାତ୍ରା ମାଲିକଙ୍କୁ ଟଙ୍କା ଫେରାଇଛନ୍ତି ଅଭିନେତା ପୀୟୂଷ ତ୍ରିପାଠୀ । ଦୁଇ ଯାତ୍ରା ମାଲିକଙ୍କୁ ଫେରାଇଲେ ଅଗ୍ରୀମ ଟଙ୍କା । ଭୁବନେଶ୍ବର ଏକ ହୋଟେଲକୁ ଯାଇ ଟଙ୍କା ଫେରାଇଛନ୍ତି । ସୂର୍ଯ୍ୟ ମନ୍ଦିରକୁ ୬୦ ଲକ୍ଷ , ସିଂହବାହିନୀକୁ ୫୫ଲକ୍ଷ ଟଙ୍କା ଫେରାଇଲେ । ମାଲିକ ସଂଘ ଆଗରେ କ୍ଷମା ମାଗିଲେ ପୀୟୁଷ । ପୀୟୁଷ ଟଙ୍କା ଫେରସ୍ତ କରିଥିବା ସ୍ପଷ୍ଟ କଲେ ଯାତ୍ରା ମାଲିକ ସଂଘ ସଭାପତି ।
ବୈଠକ ପରେ ପୀୟୂଷ କହିଛନ୍ତି ଯାତ୍ରା ଜଗତରେ ମୋ କଥାକୁ ନେଇ ଯେଉଁ ସମସ୍ୟା ଉପୁଜି ଥିଲା ତାହାର ଆଜି ଅବସାନ ଘଟିଛି । ବର୍ଷେ କୌଣସି ପାର୍ଟିରେ ଅଭିନୟ କରିବେନି ପୀୟୂଷ । ମୋର କିଛି ପାରିବାରିକ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ସେଥିପାଇଁ ପାଇଁ ଗୋଟିଏ ବର୍ଷ ଯାତ୍ରା ଜଗତରୁ ମୁଁ ଦୁରେଇ ରହିବାକୁ ଚାହୁଁଛି । ଯେଉଁ ଯାତ୍ରା ମାଲିକମାନେ ମୋତେ ଆଗ୍ରୀମ ଦେଇଥିଲେ ମୁଁ ଆଜି ତାଙ୍କ ଟଙ୍କା ଫେରେଇ ଦେଇଛି ।
ଗୋଟିଏ ଛୋଟ କଥାକୁ ଅତି ବଡ କରାଯାଇଥିଲା, ଯାହାକି ଉଚିତ ନୁହେଁ । ଯଦି ସିନେମାର ଅଫର ଆସେ ତେବେ ସିନେମା ମଧ୍ୟ କରିବି । ଯେହେତୁ ମୁଁ ଜଣେ କଳାକାର, ଅଭିନୟ କରିବା ମୋର ନିଶା । ୬ ମାସ ମଧ୍ୟରେ ଗାଡିର ସମସ୍ତ ଇନଷ୍ଟଲମେଣ୍ଟ ମୁଁ ଭରିବି, ଗାଡି ମୋ ପାଖରେ ରହିବ । ମୋତେ କେହି ଯାତ୍ରାରୁ ବ୍ୟାନ କରିନାହାନ୍ତି ବୋଲି ପୀୟୂଷ କହିଛନ୍ତି ।
ଦୁଇ ଯାତ୍ରା ପାର୍ଟିଠୁ ଅଗ୍ରୀମ ଟଙ୍କାକୁ ନେଇ ଦେଖା ଦେଇଥିଲା ବିବାଦ । ଗତ କିଛି ଦିନ ତଳେ ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ପାଇଁ ପୀୟୂଷ ଏବର୍ଷ ଯାତ୍ରାରୁ ଦୂରେଇ ରହିବେ ବୋଲି ଯାତ୍ରା ମାଲିକ ମହାସଂଘକୁ ଚିଠି ଲେଖିଥିଲେ ପୀୟୂଷଙ୍କ ବାପା। ଚିଠିରେ ୨ଟି ପାର୍ଟି ମାଲିକ ତାଙ୍କ ଅଗ୍ରୀମ ଟଙ୍କା ଫେରାଇ ନେବାକୁ ମଧ୍ୟ ଅନୁରୋଧ କରିଥିଲେ।
