କୋଲକାତା : ୱାକଫ ଆଇନ ବିରୋଧରେ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦ କରାଯାଉଛି । ମୁର୍ଶିଦାବାଦ, ହୁଗଲି, ୨୪ ପ୍ରଗଣା ଏବଂ ମାଲଦା ଜିଲ୍ଲାରେ ପୋଲିସ ଗାଡ଼ି ପୋଡ଼ି ଦିଆଯାଇଥିଲା। ଟ୍ରେନ୍ ଏବଂ ରାସ୍ତା ଅବରୋଧ କରାଯାଇଥିଲା ଏବଂ ପୋଡ଼ାଜଳା ଭଳି ଘଟଣା ଘଟିଥିଲା । ହିଂସା ଘଟଣା ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କୁ ନିବେଦନ କରି କହିଛନ୍ତି, “ଆମେ ଏହି ଆଇନର ସପକ୍ଷରେ ନାହୁଁ। ଯଦି ପଶ୍ଚିମବଙ୍ଗରେ ୱାକଫ୍ ଆଇନ ଲାଗୁ ନହୁଏ, ତେବେ ଦଙ୍ଗା କରିବାର ଅର୍ଥ କ’ଣ?” ମୁଖ୍ୟମନ୍ତ୍ରୀ ଦଙ୍ଗାକାରୀଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଦଙ୍ଗା ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଏକ ନିବେଦନ ଜାରି କରି କହିଛନ୍ତି, “ସମସ୍ତ ଧର୍ମର ଲୋକଙ୍କୁ ମୋର ବିନମ୍ର ନିବେଦନ ହେଉଛି ଦୟାକରି ଶାନ୍ତ ଏବଂ ସଂଯମ ରୁହନ୍ତୁ। ଧର୍ମ ନାମରେ କୌଣସି ଭୁଲ୍ କାର୍ଯ୍ୟ କରନ୍ତୁ ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ମୂଲ୍ୟବାନ, ରାଜନୀତି ପାଇଁ ଦଙ୍ଗା ଉସକାନ୍ତୁ ନାହିଁ। ଯେଉଁମାନେ ଦଙ୍ଗା ଉସକାାଉଛନ୍ତି ସେମାନେ ସମାଜକୁ କ୍ଷତି ପହଞ୍ଚାଉଛନ୍ତି।”
ସେ ଲୋକମାନଙ୍କୁ କହିଛନ୍ତି, “ମନେରଖନ୍ତୁ, ଆମେ ଏପରି ଆଇନ ତିଆରି କରିନାହୁଁ ଯାହା ବିରୁଦ୍ଧରେ ଲୋକମାନେ କ୍ରୋଧିତ ହେବେ । ଏହି ଆଇନ କେନ୍ଦ୍ର ସରକାର ତିଆରି କରିଛନ୍ତି, ତେଣୁ ଆପଣ ଯେଉଁ ଉତ୍ତର ଚାହୁଁଛନ୍ତି ତାହା କେନ୍ଦ୍ର ସରକାରଙ୍କଠାରୁ ମାଗିବା ଉଚିତ। ମମତା ବାନାର୍ଜୀ କହିଛନ୍ତି ଯେ ଆମେ ଏହି ମାମଲାରେ ଆମର ସ୍ଥିତି ସ୍ପଷ୍ଟ କରିଛୁ – ଆମେ ଏହି ଆଇନକୁ ସମର୍ଥନ କରୁନାହୁଁ। ଯଦି ଏହି ଆଇନ ଆମ ରାଜ୍ୟରେ କାର୍ଯ୍ୟକାରୀ ନହୁଏ, ତେବେ ଦଙ୍ଗା କରିବାର ଅର୍ଥ କ’ଣ? ସେ ଆହୁରି କହିଛନ୍ତି ଯେ ଆମେ ଦଙ୍ଗା ସୃଷ୍ଟିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେ କୌଣସି ହିଂସାତ୍ମକ କାର୍ଯ୍ୟକଳାପକୁ ସମର୍ଥନ କରୁନାହୁଁ। ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ କିଛି ରାଜନୈତିକ ଦଳ ରାଜନୈତିକ ଲାଭ ପାଇଁ ଧର୍ମର ଅପବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ଦ୍ୱାରା ଭ୍ରମିତ ହୁଅନ୍ତୁ ନାହିଁ।
