ପାରଳାଖେମୁଣ୍ଡି :ଆପଣ ଅନେକ ବଡ଼ ବଡ଼ ଅଧିକାରୀଙ୍କ ବିଷୟରେ ଜାଣିଥିବେ ଯେଉଁ ମାନେ ପ୍ରଶାସନିକ ସେବାରେ ଦୁର୍ନୀତି ସହ ଜଡିତ ଥାନ୍ତି । କିମ୍ବା ଲୋକ ସେବାରେ ଦୁର୍ବଳ ଥିବେ । କିନ୍ତୁ ଏଭଳି ଜଣେ ଜିଲ୍ଲାପାଳଙ୍କ ବିଷୟରେ ଶୁଣିନଥିବେ ଯିଏ ମାନବିକତାର ଚରମ ଶୀର୍ଷକୁ ଯାଇ ସମାଜ ପାଇଁ ଉଦାହାରଣ ସୃଷ୍ଟି କରିଥିବେ । କାରଣ ଏଭଳି ବ୍ୟକ୍ତିତ୍ବ ସମାଜ ପାଇଁ ବିରଳ ହୋଇଥାନ୍ତି । ଯାହାର ନିଚ୍ଛକ ଉଦାହରଣ ହେଉଛନ୍ତି ଗଜପତି ଜିଲ୍ଲାପାଳ । ଯାହାଙ୍କ କାମ ଶୁଣିଲେ ଆପଣ ବି କହିବେ ପ୍ରକୃତରେ ଏବେ ବି ମାନବିକତା ବଞ୍ଚିରହିଛି ।
ଯେମିତିକି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ । ଆଜିର ଏ ସ୍ୱାର୍ଥପର ଦୁନିଆରେ କିଏ ବା କାହାକୁ ପଚାରୁଛି । ସମସ୍ତେ ପ୍ରଥମେ ନିଜ ସ୍ୱାର୍ଥ ହିଁ ଦେଖନ୍ତି । କିନ୍ତୁ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ନିସ୍ୱାର୍ଥପର ସେବା କରନ୍ତି । ଅନ୍ୟର ଅସୁବିଧାରେ ଠିଆ ହୁଅନ୍ତି । ମାନବିକତା ଦେଖାଇଲେ ଜିଲ୍ଲାପାଳ । ଦୁର୍ଘଟଣାଗ୍ରସ୍ତ ଜଣେ ବାଇକ୍ ଆରୋହୀଙ୍କୁ ନିଜ ଗାଡିରେ ନେଇ ହସ୍ପିଟାଲରେ ଭର୍ତ୍ତି କରିବା ସହ ତାଙ୍କ ଚିକିତ୍ସା କରାଇଥିଲେ । ଯେଉଁଥିପାଇଁ ଏବେ ଚର୍ଚ୍ଚାରେ ଜିଲ୍ଲାପାଳ ।
ଗୁରୁବାର ତଥା ଆଜି ସକାଳୁ ଜିଲ୍ଲାପାଳ ବିଜୟ କୁମାର ଦାଶ କୌଣସି କାମରେ ଯାଉଥିବା ବେଳେ ପାରଳାଖେମୁଣ୍ଡି କାରାଗାର ସମ୍ମୁଖରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ସୋଇ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ସେଠାରେ ପହଞ୍ଚି ଡ଼୍ରାଇଭର ଓ ସୁରକ୍ଷା କର୍ମୀଙ୍କ ସହାୟତାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ନିଜ ଗାଡିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ତୁରନ୍ତ ଆହତଙ୍କ ଚିକିତ୍ସା କରାଇଥିଲେ ।
ଦୁର୍ଘଟଣାରେ ଆହତ ବ୍ୟକ୍ତି ସ୍ଥାନୀୟ ଆଇସିଆଇସିଆଇ ବ୍ୟାଙ୍କର କର୍ମଚାରୀ ବୋଲି ଜଣାପଡିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି । ଆଜିର ଏ ସ୍ୱାର୍ଥପର ଦୁନିଆରେ ମଣିଷର ନିଜ କଥା ବୁଝିବାକୁ ବି ସମୟ ନାହିଁ । ଏଭଳି ପରିସ୍ଥିତିରେ ଏଭଳି ନିସ୍ଵାର୍ଥପର ସେବାଭାବ ଖୁବ କମ ଦେଖିବାକୁ ମିଳିଥାଏ । କୁହନ୍ତି ବଡ଼ ପଦବୀ ପାଇବା ପରେ ଲୋକେ କାହାକୁ ପଚାରନ୍ତିନି । କିନ୍ତୁ ଏଭଳି କଥାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଜିଲ୍ଲାପାଳ । ସତରେ ଜିଲ୍ଲାପାଳଙ୍କ ଏଭଳି ମାନବିକତା ଖୁବ ପ୍ରଶଂସନୀୟ ।
