ହିଞ୍ଜିଳିକାଟୁ : ଓଡିଶାର ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧ ଦିବସ ହିଞ୍ଜିଳି ବିଜେଡି ପକ୍ଷରୁ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପୌର ଓ ବ୍ଳକ ବିଜେଡି ମିଳିତ ସହଯୋଗରେ ଗୁରୁବାର ବିଜୁବାବୁଙ୍କ ୨୮ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ଗୁରୁବାର ସକାଳେ ଶତାଧିକ ଦଳୀୟ କର୍ମୀ ସ୍ଥାନୀୟ ଘୋଡାହାଡ ନଦୀରେ ପହଞ୍ଚି ତିଳତର୍ପଣ କରିଥିଲେ । ପରେ ବଇଁଚବଣିଆ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହ ବିଜୁବାବୁ ଅମର ରହେ ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା । ମୁଖ୍ୟ ସଡକ, ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ଶିଶୁ ଉଦ୍ୟାନ ପରିସରରେ ଅବସ୍ଥାପିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା।

ରାଜ୍ୟରେ ବିଜେପି ଶାସନ କ୍ଷମତା ଦଖଲ କରିବା ପରେ ହିନ ଚକ୍ରାନ୍ତ ରଚି ବିଜୁବାବୁଙ୍କୁ ଅପମାନ କରିବା ସହ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀକୁ ଭାଙ୍ଗିବା, ନିଆଁ ଲଗାଇବା ସହ ରଙ୍ଗ ବଦଳାଇବା ଭଳି ବହୁ ଅଶୋଭନୀୟ କାମ କରିଚାଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁଲିଗାସୀକୁ ଖତମ କରିବା ପାଇଁ ଉଦ୍ୟମ କରାଯାଉଅଛି। ଆଗାମୀ ଦିନରେ ବିଜେଡି ପକ୍ଷରୁ ଏହାର ଉଚିତ୍ ଜବାବ ଦିଆଯିବ ବୋଲି ଦଳୀୟ କର୍ମୀ ମାନେ ଦୃଢୋକ୍ତି ପ୍ରକାଶ କରିଥିଲେ। ପରେ କଞ୍ଚୁରୁ ଗ୍ରାମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ। ଆୟୋଜିତ ଶିବିରରେ ୧୧୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। କାର୍ଯ୍ୟକ୍ରମରେ ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ବ୍ଳକ ଅଧ୍ୟକ୍ଷା ସରସ୍ବତୀ ସେଠି, ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ପୈାରାଞ୍ଚଳ ପ୍ରତିନିଧି ପ୍ୟାରୀମୋହନ ପାଢି, ବ୍ଳକ୍ ସଭାପତି ଦୁର୍ଗା ମାଧବ ମହାନ୍ତି, ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ସରପଞ୍ଚ ମଦନମୋହନ ସେଠି, ଜିଲ୍ଲା ପରିଷଦ ସଭ୍ୟା ବି. ଗିତାଞ୍ଜଳି, ପ୍ରିତି ସାହୁ, ଯୁବନେତା ପ୍ରଭାତ ମହାରଣା, କେଶବ ମହାରଣା, ଶିବା ପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, କାଉନସିଲର ଓ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
