ନବୀନଙ୍କ ନବମ ଇନିଂସ୍: ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

add-all

ଭୁବନେଶ୍ଵର: ନବମଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ନିର୍ଦ୍ବନ୍ଦ୍ଵରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ବିଧିବଦ୍ଧ ଭାବେ ନାଁ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ।

ଏକାମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଦାଖଲ କରିଥିଲେ। ସୂଚନାନୁଯାୟୀ, ଶନିବାର ସକାଳ ୧୧ଟାରେ ବିଜେଡି ରାଜ୍ୟ ପରିଷଦ ବୈଠକ ବସିଥିଲା। ୩୫୫ ରାଜ୍ୟ ପରିଷଦ ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକରେ ନବୀନ ପଟ୍ଟନାୟକଙ୍କୁ ପୁଣି ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯାଇଛି। ନବୀନ ସଭାପତି ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ୯ମ ପାଳିରେ ପୁଣି ସଭାପତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ସଭାପତି ଭାବେ ନବୀନ ଦାୟିତ୍ୱ ନେବା ପରେ ନୂଆ କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରିବେ। ଉପସଭାପତି ସଂଖ୍ୟା ବୃଦ୍ଧି ହେବା ନେଇ ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ତେବେ ନବମଥର ଲାଗି ସଭାପତି ହେବା ପରେ ନବୀନଙ୍କୁ ବହୁ ନେତା ଏବଂ କର୍ମୀ ମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏଥର କିଛି ନୂଆ ପଦବୀ ଓ କମିଟି ସୃଷ୍ଟି କରିପାରନ୍ତି ନବୀନ। ସାଙ୍ଗଠନିକ ସମ୍ପାଦକ ପଦବୀ ଉଚ୍ଛେଦ କରି ପୂର୍ବ ପରି ମହାସଚିବ ପଦବୀ ସୃଷ୍ଟି କରାଯାଇପାରେ।

ad-week
Leave A Reply

Your email address will not be published.