ଜେଇଇ ମେନ୍ ୨୦୨୫: ଅଲ୍ ଇଣ୍ଡିଆ ଟପ୍ପର୍ ହେଲେ ଓଡ଼ିଶା ଛାତ୍ର ଓମ୍ ପ୍ରକାଶ ବେହେରା

ଅଲ୍ ଇଣ୍ଡିଆ ଟପ୍ପର୍ ହେଲେ ଅସାଧାରଣ ପ୍ରତିଭାଶାଳୀ ଛାତ୍ର ଓମ୍ ପ୍ରକାଶ ବେହେରା । ଜେଇଇ ମେନ୍ ୨୦୨୫ର ଏପ୍ରିଲ ସେସନ୍‌ ରେ ପୁରା ଭାରତରେ ପ୍ରଥମ ରାଙ୍କ୍ ହାସଲ କରି ସାରା ଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି ଓମ୍ ପ୍ରକାଶ । ୨୦୦୮ ଜାନୁଆରୀ ୧୨ରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିବା ଓମ୍ ପ୍ରକାଶ ନିଜର କଠିନ ପରିଶ୍ରମକୁ ଦେଖାଇଛନ୍ତି । ଏଭଳି ସଫଳତା ପାଇ ସାରା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଓମ୍ ପ୍ରକାଶ ।

ଓମ ପ୍ରକାଶଙ୍କ ବାପା କମଳକାନ୍ତ ବେହେରା ଓଡ଼ିଶା ପ୍ରଶାସନିକ ସେବାରେ କାର୍ଯ୍ୟରତ ଅଛନ୍ତି । ତେବେ ତାଙ୍କ ମା’ ସ୍ମିତାରାଣୀ ବେହେରା ଅଧ୍ୟାପିକା ଭାବେ କାର୍ଯ୍ୟ ତୁଲାଉଛନ୍ତି । ପୁଅର ପାଠପଢ଼ା ପାଇଁ  ସ୍ମିତାରାଣୀ ନିଜ କ୍ୟାରିୟରରୁ ତିନି ବର୍ଷର ବିରତି ନେଇ କୋଟାରେ ଓମ ପ୍ରକାଶଙ୍କ ସହିତ ରହିଥିଲେ । ଦଶମ ଶ୍ରେଣୀରେ ୯୨% ନମ୍ବର ରଖିବା ପରେ ଓମପ୍ରକାଶ କୋଟାର ଏକ ଇନଷ୍ଟିଚ୍ୟୁଟ୍‌ରେ ଆଡମିସନ୍ ନେଇଥିଲେ । ଗତ ତିନି ବର୍ଷ ଧରି ସେ ନିୟମିତ ଭାବେ କ୍ଲାସ୍ ରେ ଯୋଗ ଦେଇ ଜାନୁଆରୀ ସେସନରେ ଭଲ ସ୍କୋର କରିଥିଲେ ଏବଂ ଏପ୍ରିଲ ସେସନରେ ମଧ୍ୟ ନିଜ ଦକ୍ଷତାର ଯାଦୁ ଦେଖାଇ AIR-୧ ହାସଲ କରିଛନ୍ତି । ଓମପ୍ରକାଶ ନିଜ ସଫଳତାର ଶ୍ରେୟ ବାପା ମା’ ଓ ଶିକ୍ଷକଙ୍କୁ ଦେଇଛନ୍ତି । ସେ ପ୍ରତିଦିନ ୮-୯ ଘଣ୍ଟା ଧରି ପାଠ ପଢ଼ୁଥିଲେ ।

ଆଜିର ଡିଜିଟାଲ୍ ଯୁଗରେ ଯୁବପିଢ଼ି ସୋସିଆଲ ମିଡିଆ ଏବଂ ସ୍ମାର୍ଟଫୋନରେ ସମୟ ଦେଉଥିବାବେଳେ ଓମ୍ ପ୍ରକାଶ ସବୁବେଳେ ଫୋନ୍ ଠାରୁ ଦୂରେଇ ରୁହନ୍ତି । ବର୍ତ୍ତମାନ ଓମପ୍ରକାଶ JEE ଆଡଭାନ୍ସଡ୍ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ସେ ଆଇଆଇଟି ମୁମ୍ବାଇରୁ କମ୍ପ୍ୟୁଟର ସାଇନ୍ସ ବ୍ରାଞ୍ଚରୁ ବି.ଟେକ୍ କରିବା ପାଇଁ ସ୍ବପ୍ନ ଦେଖିଛନ୍ତି ।

ଯେଉଁ ଛାତ୍ରଛାତ୍ରୀମାନେ JEE ଭଳି କଠିନ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ପାଇଁ ଓମପ୍ରକାଶଙ୍କ ଏହି ସଫଳତା ପ୍ରେରଣା ଯୋଗାଇବ ନିଶ୍ଚିତ । ଓମପ୍ରକାଶଙ୍କ କଠିନ ପରିଶ୍ରମ ତାଙ୍କୁ ଦେଶରେ ଶ୍ରେଷ୍ଠ କରିଛି । କୋଟାର ପ୍ରତିଯୋଗିତାମୂଳକ ପରିବେଶ ତାଙ୍କ ପ୍ରତିଭାକୁ ଆହୁରି ବଢ଼ାଇଛି କିନ୍ତୁ ଓମ ପ୍ରକାଶଙ୍କ ଦୃଢ଼ ନିଷ୍ପତ୍ତି ତାଙ୍କୁ ଶୀର୍ଷରେ ପହଞ୍ଚାଇଛି ।

nis-ad
Leave A Reply

Your email address will not be published.