ବାଂଲାଦେଶରେ ହିନ୍ଦୁ ନେତାଙ୍କୁ ହତ୍ୟାର ଦୃଢ଼ ନିନ୍ଦା କଲା ଭାରତ

add-all

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରଏଙ୍କୁ ହତ୍ୟା କରାଯାଇଛି। ଭବେଶଙ୍କୁ ଅପହରଣ କରାଯିବା ପରେ ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରାଯିବା ଘଟଣାର ଦୃଢ଼ ନିନ୍ଦା କରିଛି ଭାରତ। ଏହା ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ଅନ୍ତରୀଣ ସରକାରର ଏକ ବ୍ୟବସ୍ଥାଗତ ଅତ୍ୟାଚାରର ଢାଞ୍ଚା ବୋଲି ଭାରତ କହିଛି।

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀନ ଜୟସଓ୍ବାଲ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ଭବେଶଙ୍କ ଅପହରଣ ଏବଂ ନିର୍ମମ ହତ୍ୟାରେ ଆମେ ବ୍ୟଥିତ। ଏହା ଅନ୍ତରୀଣ ସରକାରର ଏକ ବ୍ୟବସ୍ଥାଗତ ଅତ୍ୟାଚାରର ଢାଞ୍ଚା। ପୂର୍ବ ଘଟଣାଗୁଡ଼ିକର ଅଭିଯୁକ୍ତମାନେ ମଧ୍ୟ ଦଣ୍ଡମୁକ୍ତ ହୋଇ ବୁଲୁଛନ୍ତି। ଆମେ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛୁ। ବାଂଲାଦେଶ ସରକାର ସଂଖ୍ୟାଲଘୁ ହିନ୍ଦୁଙ୍କ ସୁରକ୍ଷା ଦିଗରେ ଦାୟିତ୍ଵବାନ ହେବାକୁ ଆମେ ଦାବି କରୁଛୁ ବୋଲି ସେ ଲେଖିଛନ୍ତି।

୫୮ ବର୍ଷୀୟ ଭବେଶ ବାଂଲାଦେଶ ପୂଜା ଉଦଯାପଦ ପରିଷଦର ବାଇରାଲ ଶାଖା ଉପସଭାପତି ଥିଲେ। ଭବେଶଙ୍କ ପତ୍ନୀ ଶାନ୍ତନା ରଏଙ୍କ ଅନୁସାରେ, ଗୁରୁବାର ଅପରାହ୍ନ ପ୍ରାୟ ୪ଟା ୩୦ରେ ଭବେଶଙ୍କ ନିକଟକୁ ଏକ ଫୋନ ଆସିଥିଲା। ଭବେଶ ଘରେ ଅଛନ୍ତି କି ନାହିଁ ତାହା ଜାଣିବା ଲାଗି ଅଭିଯୁକ୍ତମାନଙ୍କର ଏହା ଏକ ଚାଲ୍‌ ଥିଲା। ଏହାର ୩୦ ମିନିଟ ପରେ ୪ ଜଣ ଯୁବକ ୨ଟି ବାଇକରେ ଆସି ତାଙ୍କୁ ଘରୁ ଉଠାଇ ନେଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅପହରଣକାରୀ ଭବେଶଙ୍କୁ ନାରାବରି ଗ୍ରାମକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଅତି ଅମାନୁଷିକ ଭାବେ ମାଡ଼ ମାରିଥିଲେ। ସନ୍ଧ୍ୟାରେ ତାଙ୍କ ଅଚେତ ଶରୀରକୁ ଏକ ଭ୍ୟାନରେ ଆସି ଘର ଆଗରେ ଫିଙ୍ଗିଦେଇ ଚାଲିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ତାଙ୍କୁ ନିକଟ ଡାକ୍ତରଖାନାକୁ ନେଇଥିଲେ। ପରେ ସେଠାରୁ ତାଙ୍କୁ ଦିନଜପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.