କାଲି ଠାରୁ ୪ ଦିନ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି କାମ

ପୁରୀ: ଆସନ୍ତାକାଲି ଅର୍ଥାତ୍ ୨୧ ତାରିଖ ସୋମବାର ଠାରୁ ୪ ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାମ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ୨୧ ତାରିଖ ସୋମବାର ପଇତାଲାଗି, ମଙ୍ଗଳବାର ରାମାଭିଷେକ, ବୁଧବାର ବନକଲାଗି ଏବଂ ଗୁରୁବାର ଗୁରୁତ୍ବପୂର୍ଣ୍ଣ ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା କାରଣରୁ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ।

ଏହି ଦିନ ବ୍ୟତୀତ ଅନ୍ୟ ଦିନ ଗୁଡିକରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାମ ଚାଲୁ ରହିବ । ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ସୂଚନାଯୋଗ୍ୟ, ସୁନା ଓ ରୁପା ଛାଉଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗେଟ୍‌ । ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ଗେଟକୁ ସୁନା ଛାଉଣି ଓ ବାହାର ରତ୍ନଭଣ୍ଡାର ଗେଟ୍‌କୁ ରୂପା ଛାଉଣି କରାଯିବାକୁ ପ୍ରସ୍ତାବ ରହିଛି। ଏହି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଏହା ରୂପ ନେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ । ରତ୍ନଭଣ୍ଡାର ମରାମତି ସମ୍ପର୍କରେ ସେ ସୂଚନା ଦେଇ ଆହୁରି କହିଛନ୍ତି, ଭିତର ରତ୍ନଭଣ୍ଡାରର ଭିତର ପାର୍ଶ୍ୱ କାମ ପ୍ରାୟ ସରିଗଲାଣି ।

ବାହାର ରତ୍ନଭଣ୍ଡାର କାମ ଚାଲିଛି । ବାହାର ଭଣ୍ଡାର ସରିବା ପରେ ଚଟାଣ କାମ ହେବ । ଶିଳ୍ପୀ ଶାସ୍ତ୍ର ମୁତାବକ ଚଟାଣ ମରାମତି କରାଯିବ । ରତ୍ନଭଣ୍ଡାର ବାହାର ପାର୍ଶ୍ୱ ମଧ୍ୟ ମରାମତି ଓ ସଂରକ୍ଷଣ ସରିବାକୁ ଯାଉଛି ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.