ପିପିଲି: ଡେଲାଙ୍ଗ ରତନପୁର ଗାଁର ୧୧ ବର୍ଷିୟ ଆଶୀର୍ବାଦ ସାହୁ ନିଖୋଜ ହେବା ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସର ହାତ ଖାଲି ରହିଛି । ଏବେ ଯାଏଁ ପତ୍ତା ଲାଗାଇପାରୁନି ପୋଲିସ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ନାବାଳକକୁ ଖୋଜିବାକୁ ହାଟ ଡେଲାଙ୍ଗ ଫାଣ୍ଡି ଘେରାଉ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ ।
ଫାଣ୍ଡି ଘେରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ଖୋର୍ଦ୍ଧା ଓ କଣାସକୁ ଯାତାୟାତ ଠପ୍ ହୋଇଯିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି । ସ୍ଥାନୀୟ ଲୋକେ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ କ୍ରାଇମବ୍ରାଞ୍ଚ କି ସିବିଆଇ ତଦନ୍ତ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଡେଲାଙ୍ଗ ରତନପୁର ଗାଁର ୧୧ ବର୍ଷିୟ ଆଶୀର୍ବାଦ ସାହୁ ଗତ ୬ ଦିନ ପୂର୍ବେ ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ । ଏନେଇ ଖବରପାଇବା ପରେ ପୋଲିସ ଘଟଣାସ୍ଥଳରେ ସନ୍ଧାନୀ କୁକୁର କୁ ନେଇ ତଦନ୍ତ କରିଥିଲା । ଗଞ୍ଜାମ, ସମ୍ବଲପୁର ଓ ଯାଜପୁରରେ ସହ ରାଜ୍ୟ ବାହାରେ ମଧ୍ୟ ଗୋଟିଏ ଟିମ୍ ତଦନ୍ତ କରୁଛି । ସେହିପରି ବିଭିନ୍ନ କଲ୍ ରେକର୍ଡ ଯାଞ୍ଚ କରୁଛି ପୋଲିସ ।
ପୁରୀ ଏସପି ଭିନୀତ ଅଗ୍ରୱାଲ ଘଟଣା ସ୍ଥଳରେ ପହଁଞ୍ଚି ଆଶୀର୍ବାଦଙ୍କ ପରିବାରକୁ ଭେଟିବା ସହ ସ୍ଥାନୀୟ ପୋଲିସ ଠାରୁ ତଥ୍ୟ ନେଇଛନ୍ତି ।
