ଆଳି: ପିଛା ଛାଡ଼ୁନି ବିବାଦ । ଯାତ୍ରା ବିବାଦକୁ ନେଇ ପୁଣି ଆସିଲା ବଡ଼ ଖବର । ସତରେ ଯାତ୍ରା ପାର୍ଟି ପିଛା ଛାଡ଼ୁନି ବିବାଦ । ପୁଣି ଯାତ୍ରା ପାର୍ଟି ମାଲିକଙ୍କ ନାଁରେ ଆସିଛି ଗୁରୁତର ଅଭିଯୋଗ । ଚୁକ୍ତି ଖିଲାପକରି ଯାତ୍ରା ପରିବେଷଣ କରିନଥିବା ବେଳେ ଅଗ୍ରୀମ ୩ଲକ୍ଷ ଟଙ୍କା ଫେରସ୍ତ କରୁନାହାନ୍ତି ଯାତ୍ରା ବାଘା ଯତୀନ ଲୋକନାଟ୍ୟର ମାଲିକ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲା ନିଆଳ ସାର୍ବଜନୀନ ଦୁର୍ଗାପୂଜା ଯାତ୍ରା କମିଟିର ସଦସ୍ୟ ମାନେ ।
ଅଭିଯୋଗ ମୁତାବକ, କୁଆଡେ ଗତ ଅକ୍ଟୋବର ମାସ ଦୂର୍ଗାପୂଜା ସମୟରେ ୩ରାତି ଯାତ୍ରା ପରିବେଷଣ ପାଇଁ ଯାତ୍ରା ବାଘାଜତିନ ଲୋକନାଟ୍ୟ ସହିତ କମିଟିର ଚୁକ୍ତି ହୋଇଥିଲା । ଏନେଇ ଅଗ୍ରୀମ ୪ଲକ୍ଷ ଟଙ୍କା ପାର୍ଟିର ପରିଚାଳକ ନେଇଥିଲେ । ହେଲେ ଯାତ୍ରା କରିବା ଦିନ ଆଉ ଯାତ୍ରାପାର୍ଟି ଆସିନଥିଲା କି ଯାତ୍ରା ପରିବେଷଣ ହୋଇନଥିଲା । ଫଳରେ ସାଧାରଣତରେ ଆୟୋଜକ କମିଟିକୁ ଅପଦସ୍ତ ହେବାକୁ ପଡିଥିଲା ।
ଏପଟେ ପରବର୍ତ୍ତୀ ସମୟରେ କମିଟିର କର୍ମକତାମାନେ ଅଗ୍ରୀମ ଟଙ୍କା ଫେରସ୍ତ ପାଇଁ ଯାତ୍ରା ପରିଚାଳକଙ୍କ ନିକଟରେ ଦାବିକରିଥିଲେ । କିନ୍ତୁ ପରିଚାଳକ ବିଭିନ୍ନ ଆଳରେ ଆଜିକାଲି କହି ୭ମାସ ହେବ ସମୟ ଗଡେଇ ଚାଲିଛନ୍ତି । ହେଲେ ଟଙ୍କା ଫେରସ୍ତ କରୁନାହାନ୍ତି ।
ଅନ୍ୟପଟେ ନିଆଳହାଟ ଦଶହରା ପଡ଼ିଆରେ ୭ମାସ ହେବ ଟେଣ୍ଟ ବାଉଁଶ ସହିତ ବିଭିନ୍ନ ଯାତ୍ରା ଉପକରଣ ପଡିରହିଛି ।ସେପଟେ ଏ ମାମଲାର ଖୁବଶୀଘ୍ର ସମାଧାନ କରାନଗଲେ ଆଗାମୀ ଦିନରେ କେନ୍ଦ୍ରାପଡା ଜିଲ୍ଲାରେ ଯାତ୍ରା ପାର୍ଟିକୁ ପୁରାଇ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଆଳି ବ୍ଲକ ଯାତ୍ରା କମିଟି ସମୂହ ସଂଘର ସମ୍ପାଦକ । ଅନ୍ୟପଟେ ପାର୍ଟି ଭାଙ୍ଗି ଯାଇଥିବାରୁ ଏଭଳି ସମସ୍ୟା ହୋଇଛି ଆସନ୍ତା ୨୫ତାରିଖରେ ସମସ୍ତ ଟଙ୍କା ଫେରସ୍ତ କରାଯିବ ବୋଲି ବାଘାଜତିନ ଲୋକ ନାଟ୍ୟର ପରିଚାଳକ କହିଛନ୍ତି ।
ଓଡ଼ିଶାରେ ଯାତ୍ରା କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । କଳାକାର ଓ ଯାତ୍ରା ପାର୍ଟି ମାଲିକମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ସରିନଥିବାବେଳେ, ଏବେ ପୁଣି ଆୟୋଜକ କମିଟିଙ୍କ ସହ ଯାତ୍ରା ପାର୍ଟି ମାଲିକଙ୍କ ବିବାଦ ଦେଖିବାକୁ ମିଳିଛି । ଦେଖାଯାଉ ଏ ବିବାଦ ଆଗକୁ କି ରୂପ ନେଉଛି ।
