ଭୁବନେଶ୍ୱର: ରୋମାନ କାଥୋଲିକ୍ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କର ବିୟୋଗ ଘଟିଛି । ତାଙ୍କ ସମ୍ମାନାର୍ଥେ ସାରା ଭାରତରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଏନେଇ ୩ ଦିନ ଧରି ଶୋକ ପାଳିବ ରାଜ୍ୟ । ଏପ୍ରିଲ ୨୨ ଅର୍ଥାତ୍ ଆଜି ଏବଂ ଏପ୍ରିଲ ୨୩ ତାରିଖରେ ରାଜ୍ୟ ସରକାର ଶୋକ ଦିବସ ପାଳନ କରିବେ । ସେହିଭଳି ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ ବୋଲି ସୂଚନା ଦିଆଯାଇଛି ।
ବିବୃତ୍ତିରେ କୁହାଯାଇଛି ଯେ, ରାଷ୍ଟ୍ରୀୟ ଶୋକ ସମୟରେ, ସାରା ଭାରତରେ ଯେଉଁଠାରେ ନିୟମିତ ଭାବରେ ଜାତୀୟ ପତାକା ଉଡ଼ାଯାଏ, ସେହି ସମସ୍ତ କୋଠାରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଶୋକ ସମୟରେ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ ।
ତେବେ ସୋମବାର ସକାଳେ ରୋମାନ କାଥୋଲିକ୍ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ଦୀର୍ଘବର୍ଷ ହେଲା ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସହ ନିକଟରେ ଡବଲ ନିମୋନିଆରୁ ସୁସ୍ଥ ହୋଇଥିଲେ । ଇଷ୍ଟର ରବିବାର ପାଳନର ଗୋଟିଏ ଦିନ ପରେ ତାଙ୍କର ଦେହାନ୍ତ ହୋଇଛି ।
