ଭୁବନେଶ୍ୱର : ପିସିଆର୍ ଭ୍ୟାନ ଉପରେ ଚଢ଼ିଗଲା ହାଇୱା । ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୋକସନ୍ତପ୍ତ ପରିବାରକୁ ଜଣାଇଲେ ସମବେଦନା । ଉଭୟ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ସକାଳୁ ସିଆରଆରଆଇ ଥାନା ପିସିଆର ପାଟ୍ରୋଲିଂ ବେଳେ କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ପୋଲିସ ପିସିଆରକୁ ଏକ ଟ୍ରକ ଚାପିଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ଓଏପିଏଫ୍ ଯବାନଙ୍କ ସହ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଗୁରୁତର ଜଣେ ପୋଲିସ କର୍ମଚାରୀଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭରକୁ ଅଟକ ରଖି ପୋଲିସ ଛାନଭିନ୍ ଚଳାଇଛି।
