ସାମାଜିକ ବାସନ୍ଦ ଭୟରେ ଥାନାର ଦ୍ଵାରସ୍ଥ ହେଲେ ପୀଡିତ ପରିବାର, ଗ୍ରାମ କମିଟି ସଭାପତି ଓ ସମ୍ପାଦକଙ୍କ ନାମରେ ମାମଲା ରୁଜ୍ଜୁ
ମାଲକାନଗିରି : ଦୀର୍ଘ ଦିନ ଧରି ଗାଁ ରୁ ବାସନ୍ଦ ହେବା ପରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ପରିବାର ଲୋକେ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ପଦ୍ମଗିରେ ପଞ୍ଚାୟତ ଅନ୍ତର୍ଗତ ଏମଭି ୧୦୧ ଗ୍ରାମର ଚନ୍ଦନା ମଲ୍ଲିକଙ୍କ ପରିବାରକୁ ଗାଁ କମିଟି ଗତ ଦୁଇ ବର୍ଷ ତଳେ ଗାଁରୁ ବାସନ୍ଦ କରିଥିଲେ। କାରଣ ଚନ୍ଦନା ମଲ୍ଲିକଙ୍କ ଦିଅରର ଗାଁର ଜଣେ ମହିଳାଙ୍କୁ ନେଇ ଫେରାର ହୋଇ ଯାଇଥିଲେ। ଦିଅର ଆଉ ଗାଁକୁ ଫେରୁ ନଥିବା ବେଳେ ଗାଁ କମିଟି ତାଙ୍କ ପରିବାରର ନିଆଁ ପାଣି ବନ୍ଦ କରିଥିଲେ। ଗାଁ କମିଟିକୁ ଏକ ଲକ୍ଷ ଟଙ୍କାର ଜୋରିମାନା ଦେଲେ ଯାଇ ସେହି ପରିବାରକୁ ଗାଁରେ ମିଶା ଯିବ, ନଚେତ ସେମାନଙ୍କ ପିଲାମାନେ ମଧ୍ୟ ଗାଁ ବିଦ୍ୟାଳୟ ଓ ପୂଜା ମଣ୍ଡପକୁ ଯାଇ ପାରିବେ ନାହିଁ ବୋଲି ଗ୍ରାମ କମିଟି ଉକ୍ତ ପରିବାରକୁ ଚେତାବନୀ ଦେଇଥିଲେ। ଏଭଳି ଧମକ ମିଳିବା ପରେ ପରିବାର ଲୋକେ ଏକ ପ୍ରକାର ସାମାଜିକ ବାସନ୍ଦ ହୋଇ ଜୀବନ ଅତିବହାୟତ କରୁଥିବା ବେଳେ କୌଣସି ଗ୍ରାମବାସୀ ତାଙ୍କ ସହ ସମ୍ପର୍କ ରଖୁନଥିଲେ। ଯାହାକୁ ନେଇ ମାନସିକ ଚାପ ମଧ୍ୟରେ ଏହି ପରିବାର ରହୁଥିବା ବେଳେ ଏହି ଗରିବ ପରିବାର ଲୋକେ ନ୍ୟାୟ ପାଇଁ ମାଲକାନଗିରି ଆଦର୍ଶ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଚନ୍ଦନା ମଲ୍ଲିକ ନିଜ ପରିବାର ଲୋକଙ୍କ ସହ ପହଞ୍ଚି ଥାନାରେ ଅଭିଯୋଗ କରିବା ପରେ ଏମଭି ୧୦୧ ଗ୍ରାମ କମିଟିର ସଭାପତି ଓ ସମ୍ପାଦକ ନାମରେ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।
