ଭୁବନେଶ୍ବର: ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ୨୦ ଏନଏସି ପାଇଁ ଜିଲ୍ଲାରୁ ରିପୋର୍ଟ ଆସିଛି। ରିପୋର୍ଟ ମିଳିବା ପରେ ଏହାର ତର୍ଜମା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ ପଠାଯାଇଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ପଞ୍ଚାୟତିରାଜ ବିଭାଗ ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ଏନଏସି ଗଠନ ହେବ। ପୂର୍ବରୁ ନୂଆ ଏନଏସି ପାଇଁ ନିର୍ଦ୍ଧାରିତ ଫର୍ମ ପୂରଣ କରି ପଠାଇବାକୁ ଜିଲ୍ଲାପାଳଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରିପୋର୍ଟ ମଗାଯାଇଥିଲା।
୨୦ ଏନଏସି ପାଇଁ ରିପୋର୍ଟ ପହଞ୍ଚିଥିବା ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୧୭ ପ୍ରତିଶତ ସହରାଞ୍ଚଳ ରହିଛି। ଏହାକୁ ୩୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ସରକାର ଯୋଜନା ରଖିଛନ୍ତି।
ସେହି ଅନୁସାରେ ନୂଆ ଏନଏସି, ମ୍ୟୁନିସପାଲିଟି ଗଠନ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
